ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜି ଆରମ୍ଭ ହେଉଛି । ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅନେକ କ୍ରିକେଟ୍ ପଣ୍ଡିତ ନିଜ ନିଜର ଭବିଷ୍ୟତବାଣୀ କରିଛନ୍ତି । ଏହି କ୍ରମରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁ ଏହି ସିରିଜରେ ଯୋଡି ହୋଇ ଯାଇଛି । ଏହି ସିରିଜରେ କାହାର ପଲ୍ଲା ଭାରି ରହିବ ଏହାକୁ ନେଇ ସଚିନ ଭବିଷ୍ୟତବାଣୀ କରିଛନ୍ତି । ସେ କହିଛନ୍ତି ଭାରତ ଏହି ସିରିଜ ୩-୧ରେ ବିଜୟ ଲାଭ କରିବ ।
ସୂଚନାଯୋଗ୍ୟ, ଭାରତ ଶେଷ ଥର ୨୦୦୭ରେ ଇଂଲଣ୍ଡ ମାଟିରେ ସିରିଜ ଜିତିଥିଲା । ଯଦି ଶୁଭମନ ଗିଲ ଏମିତି କରିବାରେ ସଫଳ ହୁଅନ୍ତି ତେବେ ଅଜିତ ୱାଦେକର, କପିଲ ଦେବ ଓ ରାହୁଲ ଦ୍ରାବିଡଙ୍କ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାରେ ଚତୁର୍ଥ ଅଧିନାୟକ ହେବେ । ତେନ୍ଦୁଲକର ଇଏସପିଏନକ୍ରିକଇମ୍ଫୋ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୁଁ ଭାରତ ପାଇଁ ୩-୧ରେ ସହମତ । ଏହି ଗସ୍ତରେ ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ କିଛି ଖାସ କରିବେ ।
ସଚିନ ଗିଲଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଗିଲଙ୍କୁ ଏହି ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଯେ, ତାଙ୍କ ବିଷୟରେ କିଏ କଣ କହୁଛି । ତାଙ୍କ ନେତୃତ୍ୱ ଆକ୍ରମଣାତ୍ମକ ହେବା ଉଚିତ୍ ନା ରକ୍ଷାତ୍ମକ, ଏସବୁ ଟିପ୍ପଣୀ ବାହାରୁ ଆସିଥାଏ । ଏଥିପ୍ରତି ଗିଲଙ୍କୁ ଚିନ୍ତା କରିବା ଦରକାର ନାହିଁ । ତାଙ୍କୁ କେବଳ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ, ଡ୍ରେସିଂ ରୁମରେ କଣ ଆଲୋଚନା ହେଉଛି । ଡ୍ରେସିଂ ରୁମରେ କଣ ନିର୍ଣ୍ଣୟ ନିଆଯାଉଛି, କଣ ତାହା ଦଳର ହିତ ପାଇଁ ରହିଛି, ଏସବୁ ଉପରେ ତାଙ୍କୁ ଧ୍ୟାନ ଦେବା ଦରକାର ।