ଲିଡ୍ସ: ଲିଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ । ଭାରତୀୟ ସମୟନୁସାର ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ । ଟସ୍ ୩ଟାରେ ପଡିବ । ଶୁଭମନ ଗିଲଙ୍କ ଅଧିନାୟକ ଯୁଗ ଆଜି ଆରମ୍ଭ ହେଉଛି । ସାଇ ସୁଦର୍ଶନଙ୍କ ଟେଷ୍ଟ ପଦାର୍ପଣ ପ୍ରାୟତଃ ସୁନିଶ୍ଚିତ ଲାଗୁଛି । ୮ ବର୍ଷ ପରେ କରୁଣ ନାୟର ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ । ୩ ଦ୍ରୁତ ବୋଲର ସହ ଶାର୍ଦ୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି ।
ସାଇ ସୁଦର୍ଶନଙ୍କୁ ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇପିଏଲ ୨୦୨୫ରେ ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା । ସେ ୧୫ଟି ଇନିଂସରେ ୭୫୯ ରନ କରିଛନ୍ତି । ସେ ଅରେଞ୍ଜ କ୍ୟାପ ଜିତିଥିଲେ । ତାଙ୍କର ଏହା କ୍ୟାରିୟରର ପ୍ରଥମ ଟେଷ୍ଟ ହେଲେ ମଧ୍ୟ ଇଂଲଣ୍ଡରେ ତାଙ୍କର ଖେଳିବାର ଅନୁଭବ ରହିଛି । ସେ କାଉଣ୍ଟି ଚାମ୍ପିଅନ୍ସିପ ପୂର୍ବରୁ ଖେଳି ସାରିଛନ୍ତି ।
ସାଇ ସୁଦର୍ଶନଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ବେଶ ଦମଦାର ରହିଛି । ସେ ୨୯ଟି ମ୍ୟାଚରେ ୪୯ ଇନିଂସରୁ ୧୯୫୭ ରନ କରିଛନ୍ତି । ଏଥିରେ ୭ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ସେ ଭାରତ ପାଇଁ ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏବେ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସାମିଲ କଲେ ସେ ଭାରତ ପାଇଁ ତିନି ଫର୍ମାଟରେ ଖେଳିବାର ଉପଲବ୍ଧି ଅର୍ଜନ କରିବେ ।
ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ସବୁଠୂ ଅଧିକ ରନର ଇନିଂସ ଖେଳିଥିବା ଖେଳାଳି ହେଉଛନ୍ତି କରୁଣ ନାୟର । ସେ ନିଜର ଶେଷ ଟେଷ୍ଟ ୨୦୧୭ରେ ଖେଳିଥିଲେ । ୮ ବର୍ଷ ପରେ ତାଙ୍କର ଚୂଡାନ୍ତ ଏକାଦଶକୁ ଫେରିବା ନିଶ୍ଚିତ ଲାଗୁଛି । ହେଲେ ଅଭ୍ୟାସ ସମୟରେ ତାଙ୍କୁ ଆଘାତ ଲାଗିଥିଲା । କିନ୍ତୁ ଆଘାତ ଏତେ ଗମ୍ଭୀର ନୁହେଁ । ନାୟର ୬ଟି ଟେଷ୍ଟର ୭ଟି ଇନିଂସରେ ୩୭୪ ରନ କରିଛନ୍ତି ।
ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ(ଅଧିନାୟକ), ଋଷଭ ପନ୍ତ(ୱିକେଟ୍ କିପର), କରୁଣ ନାୟର, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ।
ଇଂଲଣ୍ଡର ଚୂଡାନ୍ତ ଏକାଦଶ
ଜ୍ୟାକ କ୍ରାଉଲି, ବେନ ଡକେଟ୍, ଓଲି ପୋପ, ଜୋ ରୁଟ, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜେମି ସ୍ମିଥ(ୱିକେଟ୍ କିପର), କ୍ରିସ ୱକ୍ସ, ବ୍ରାୟଡନ କର୍ସ, ଜୋଶ ଟଙ୍ଗ, ଶୋଏବ ବଶିର ।