ପୁରୀ: ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ଦଶମୀ ତିଥିରେ ଚକାବିଜେ ନୀତି ଅନୁଷ୍ଠିତ ହେବ । ଏହି ଗୁପ୍ତ ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦନ କରାଯିବ । ଶ୍ରୀଜୀଉଙ୍କୁ ଚକା ଉପରେ ଦଇତାପତି ଓ ବିଦ୍ୟାପତିମାନେ ଚକା ବିଜେ କରାଇବେ । ଏହା ପରେ ଚକଟା ଓ ପଣା ଭୋଗ ଲାଗି କରାଯିବ । ଏଥିସହ ଦଶମୀ ଅବସରରେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ବା ଦଶମୂଳ ମୋଦକ ଶ୍ରୀମନ୍ଦିରକୁ ଯିବ । ମହାପ୍ରଭୁଙ୍କ ପାଖରେ ଦଶମୂଳ ମୋଦକ ଏକାଦଶୀ ତିଥିରେ ଲାଗିହେବେ। ଏହି ଦଶମୂଳ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କଲା ପରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହ । ଦେହ ସୁସ୍ଥ ପାଇଁ ଅଣସର ଗୃହରେ ଗୁପ୍ତ ଉପଚାର କରାଯାଉଛି । ଚତୁର୍ଦ୍ଦାବିଗ୍ରହଙ୍କୁ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଗୁପ୍ତସେବା କରାଯାଉଛି । ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଯାହା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।