ନୂଆଦିଲ୍ଲୀ: ପାକିସ୍ତାନୀ ସେନା ପ୍ରମୁଖ ତଥା ଫିଲ୍ଡ ମାର୍ଶାଲର ମାନ୍ୟତା ପାଇଥିବା ଆସିମ ମୁନୀରଙ୍କ ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ଥର ପାକିସ୍ତାନର କୌଣସି ସେନା ପ୍ରମୁଖଙ୍କୁ ଡକାଇ ଆମେରିକାର ରାଷ୍ଟ୍ରପତି ଆଲୋଚନା କରିଛନ୍ତି । ସାଧାରଣତଃ କୌଣସି ଦେଶର ରାଷ୍ଟ୍ରାଧ୍ୟକ୍ଷ ଅନ୍ୟ ଦେଶର ସେନା ପ୍ରମୁଖଙ୍କ ସହ ସାକ୍ଷାତ କରନ୍ତି ନାହିଁ ।
କୌଣସି ଦ୍ୱିପାକ୍ଷିକ ଆଲୋଚନା ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ହୋଇଥାଏ । ଏମିତିରେ ଆସିମ ମୁନୀରଙ୍କୁ ଡକାଇ ଟ୍ରମ୍ପ କଥା ହେବା ଘଟଣା ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି । କୁହାଯାଉଛି ଇରାନ ଓ ଇସ୍ରାଏଲ ଲଢେଇକୁ ଦୃଷ୍ଟିରେ ରଖି ଟ୍ରମ୍ପ ଆସିମ ମୁନୀରଙ୍କୁ ଡକାଇଥିଲେ । ଆଉ ହ୍ୱାଇଟ୍ ହାଉସରେ ଲଞ୍ଚ କରାଇବାର ମୂଲ୍ୟ ବି ଆଦାୟ କରିଥିବେ ।
ଏହି ମିଟିଂକୁ ନେଇ ଡନ ଖବରକାଗଜରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ଯେ, କୌଣସି ବି ଲଞ୍ଚ ଫ୍ରିରେ ମିଳେ ନାହିଁ । ବାକିର ସଜ୍ଜାଦ ସୈୟଦ ନିଜ ଲେଖାରେ ଲେଖିଛନ୍ତି ଯେ, ବୋଧହୁଏ ଏହି ମିଟିଂ ସେହି ସମୟରେ କରାଗଲା, ଯେବେ ପାକିସ୍ତାନ ପକ୍ଷରୁ ଇରାନକୁ ସମର୍ଥନ ଘୋଷଣା କରାଗଲା । ଏହା ବ୍ୟତୀତ ଲଞ୍ଚପ୍ୟାଡ ଭାବେ ପାକିସ୍ତାନ ମାଟିକୁ ଆମେରିକା ବ୍ୟବହାର କରିପାରେ ।
ଏହି ପରି ଭାବେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସାକ୍ଷାତର ମୁଖ୍ୟ ଏଜେଣ୍ଡା ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ । ବାକିର ସଜ୍ଜାଦ ଲେଖିଛନ୍ତି, ପାକିସ୍ତାନ ପାଇଁ ତାର ଅସ୍ପଷ୍ଟତା ଏକ ଢାଲ ଭାବେ କାମ କରି ପାରିବ । ଇରାନକୁ ନୈତିକ ଭାବେ ସମର୍ଥନ ଦେଇ ସାମରିକ ପଦକ୍ଷେପରୁ ଦୂରେଇ ରହିବା ପାକିସ୍ତାନ ପାଇଁ ଶ୍ରେୟସ୍କର ହେବ । ଏମିତି କଲେ ଆମେରିକାର ଅସନ୍ତୋଷ ଓ ଇରାନର ସନ୍ଦେହଠୁ ବି ପାକିସ୍ତାନ ବଞ୍ଚି ପାରିବ ।