ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୩ଟା ୪୦ ମିନିଟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ ସୋ' କରିବେ। ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବର ସେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ଓ ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ଗସ୍ତ କରୁଛନ୍ତି।
ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ କାର୍ଡ ବାଣ୍ଟିବେ। ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତାଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ।
ଏହି କାର୍ଯ୍ୟକ୍ରମରେ ୧ଲକ୍ଷ ଲୋକଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି। ବିମାନବନ୍ଦରଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ରାଜଧାନୀରେ ମୁତୟନ ରହିବେ। କମିଶନରେଟ ପୋଲିସ ରାଜଧାନୀର ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି। ଆଜି ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟକୁ ହାଫ୍ ଡେ’ କରିଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବିଜେପିର ବରିଷ୍ଠ ନେତାମାନେ ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ।