ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହୋଇଥିବା ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେଉଁ ସବୁ ଜିଲ୍ଲାରେ ଡାଇରିଆ ସଂକ୍ରମଣ ବଢ଼ିବାରେ ଲାଗିଥିଲା ତାହା ଧୀରେ ଧୀରେ ହ୍ରାସ ପାଉଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ଡାଇରିଆ ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଆଲୋଚନା କରି ଏହି ସୂଚନା ଦେଇଛନ୍ତି । ଡାଇରିଆ ସ୍ଥିତି ପାଇଁ କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରିଥିଲେ । ପାଣି ପାଇଁ ଡାଇରିଆ ବ୍ୟାପୁଛି ବୋଲି ସେମାନେ କହିଥିଲେ ।
ଏହାସହ ରାଜ୍ୟ ଟିମ ଡାଇରିଆ ନିୟନ୍ତ୍ରଣ ପାଇଁ ସଂପୂର୍ଣ୍ଣ ଭାବେ ସଚେତନ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସଂକ୍ରମଣର ଉତ୍ସକୁ ନଷ୍ଟ କରିବା, ପରିମଳ ବ୍ୟବସ୍ଥା, ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସହ ଖାଦ୍ୟ ପଦାର୍ଥର ମାନ ନିରୀକ୍ଷଣ କରାଯାଉଛି । ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାଇରିଆ ମୁକାବିଲା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଶୁଦ୍ଧ ପାନୀୟ ଜଳ, ପ୍ରତିଷେଧକ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ଏବଂ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।