ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପରେ ଆଜିଠୁ ରାଜ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ରାଜ୍ୟରେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍କୁଲମାନଙ୍କରେ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପରିସରରେ ସ୍ୱଚ୍ଛତା ବଜାଇ ରଖିବା ସହିତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି । ଝାଡ଼ାବାନ୍ତି ପାଇଁ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି ରହିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ କଟକ ଓ ଭୁବନେଶ୍ୱରରେ ସ୍କୁଲ ବନ୍ଦ କରାଯାଇଛି ।
ବିଦ୍ୟାଳୟ ଏବଂ ଛାତ୍ରାବାସରେ ଶ୍ରେଣୀଗୃହ, କାର୍ଯ୍ୟାଳୟ କୋଠରୀ, ପରୀକ୍ଷାଗାର, ପାଠାଗାର, ଶୌଚାଳୟ ଏବଂ ସ୍ନାନାଗାର, ହଷ୍ଟେଲ କୋଠରୀ, ଶୌଚାଳୟ ଏବଂ ସ୍ନାନାଗାର, ରୋଷେଇ ଘର, ଭୋଜନାଳୟ, ଷ୍ଟୋର ରୁମ ଇତ୍ୟାଦି ପରିଷ୍କାର କରାଯାଇଛି କି ନାହିଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମାନର ଭାତ, ଖାଦ୍ୟ, ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ । ଯେପରି ଝାଡ଼ାବାନ୍ତିରେ ଛାତ୍ରଛାତ୍ରୀମାନେ ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଗଣଶିକ୍ଷା ବିଭାଗ ସଜାଗ ରହି ଏପରି ନିଷ୍ପତ୍ତି ନେଇଛନ୍ତି ।