ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ତେବେ ମୋଦୀଙ୍କ ଗସ୍ତପାଇଁ କମିଶନରେଟ୍ ପୋଲିସ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି। ମୋଦିଙ୍କ ରୋଡ୍ ସୋ’ ରୁଟ୍ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରିହର୍ସାଲ କରାଯିବ । ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ ।
ସେହିପରି କଟକ ପଟୁ ଆସୁଥିବା ବସ୍ ରସୁଲଗଡ଼ ରେଳୱେ ଓଭରବ୍ରିଜ୍ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ରାସ୍ତା ଦେଇ ଜନତା ମଇଦାନକୁ ଯିବ। ଖୋର୍ଦ୍ଧା ଆଡୁ ଆସୁଥିବା ବସ୍ଗୁଡିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ର ସର୍ଭିସ ରୋଡରେ ଆଚାର୍ଯ୍ୟବିହାର ଛକରୁ ବାମ ପଟେ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତାରେ ସପ୍ତମ ବାଟାଲିଅନ ପଡିଆରେ ଅଟକିବ। କଳିଙ୍ଗ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ବସ୍ ପାର୍କିଂ କରିପାରିବେ।
ନନ୍ଦନକାନନ ରାସ୍ତା ପଟୁ ଆସୁଥିବା ବସ ନାଲକୋ ଛକ-କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଳୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ଗାଡି଼ଗୁଡ଼ିକ ପାର୍କିଂ କରିପାରିବେ। ପୁରୀ ପଟୁ ଆସୁଥିବା ବସ୍ କଳ୍ପନା, ରାଜମହଲ, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକର ଏକ ଲାଇନ୍ରେ ପାର୍କିଂ କରିପାରିବେ। ଏହି ବସ୍ ରେ ଥିବା ସମର୍ଥକମାନେ ରୋଡ୍ ସୋ ଦେଖିପାରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ପିତାପଲ୍ଲୀ ଛକଠାରୁ ଚନ୍ଦକା ରାସ୍ତା ଦେଇ କଟକ ଆଡୁ ଯାଇପାରିବ। କଟକ ପଟୁ ଭାରୀଯାନ ଆସିଲେ, ବାଲିକୁଦା ଛକଠାରୁ ତ୍ରିଶୁଳିଆ ଦେଇ ପିତାପଲ୍ଲୀ ଛକୁ ଯାଇପାରିବ।
ସେହିପରି ବିମାନବନ୍ଦର, ଏଜି ଛକ, ରାଜଭବନ ଗୋଲେଇ, ନାଲ୍କୋ ଛକ ଯାଏଁ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଭିତରେ ନଯିବାକୁ ସାଧାରଣ ଜନତାଙ୍କୁ ପୋଲିସ ଅପିଲ୍ କରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ସମାରୋହ ପାଇଁ ୩୩ଜଣ ଏଡିସିପି, ୯୩ଜଣ ଏସିପି, ୧୦୬ଜଣ ଇନ୍ସପେକ୍ଟର, ୪୫୦ଜଣ ସବ୍ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ପାହ୍ୟା ଅଧିକାରୀ ମୁତୟନ ହେବେ । ମୋଦିଙ୍କ ରୋଡ୍ ସୋ ବେଳେ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍ ପୁଲିସ । ୨୪ ପ୍ଲାଟୁନ୍ ଫୋର୍ସ ଟ୍ରାଫିକ୍ ପରିଚାଳନା ପାଇଁ ସଜାଗ ରହିବେ । ଏହି ରୁଟ୍ ରେ ପଡୁଥିବା ୯୨ଟି ଲେନ୍ ଓ ବାଇଲେନ୍କୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି ।