ଭୁବନେଶ୍ୱର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ହଇଚଇ ସୃଷ୍ଟି ହୋଇଛି । ଦୁଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଘନ ଘନ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି । ସେପଟେ ଅଖିଳ ଭାରକୀୟ କଂଗ୍ରେସ କମିଟି ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି । ଜାତୀୟ ସ୍ତରର ୫ ଜଣିଆ ମହିଳା ସଦସ୍ୟ କମିଟି ତଦନ୍ତ କରିବେ । କମିଟିରେ ଅଛନ୍ତି ଆବାହକ ଦୀପା ଦାସମୁନସୀ, ୩ ଜଣ ସାଂସଦ ରଞ୍ଜିତ ରଂଜନ, ପ୍ରଣିତି ସିନ୍ଦେ, ଏସ୍. ଜୋଥିମଣୀ ଏବଂ ଶୋଭା ଓଜା । କମିଟି ଓଡ଼ିଶା ଗସ୍ତ କରି ତଦନ୍ତ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଦେବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦ୍ୱିତୀୟ ଦିନ ରଜରେ ରାତି ପ୍ରାୟ ୯ଟା ବେଳେ ଜଣେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମିରେ ପାନ୍ଥନିବାସ ନିକଟରେ ବୁଲୁଥିଲେ । ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ଜନୈକା ଯୁବତୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁରୁଷ ବନ୍ଧୁ ଦୁଇ ଜଣଙ୍କୁ ଚିହ୍ନଟ କରିବା ପରେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଏହି ମାମଲାରେ ପୋଲିସ ୪ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଛି । ସମସ୍ତେ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଘଟଣାର ଗମ୍ଭୀରତାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଣେ ଅପରାଧୀଙ୍କ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇ ମାମଲାର ଯାଞ୍ଚ କରାଯାଇଥିଲା । ଘଟଣାକୁ ରେଡ୍ ଫ୍ଲାଗ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ପୋଲିସ ତଦନ୍ତ କରୁଛି । ସେହିପରି ଜାତୀୟ ମହିଳା କମିଶନ ମଧ୍ୟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ।