ଭଦ୍ରକ: ଯାଜପୁରରେ ଆରମ୍ଭ ହୋଇଥିବା ଡ଼ାଇରିଆ ଏବେ ଗୋଟେ ଗୋଟେ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଝାଡାବାନ୍ତି ଏବେ ରାଜ୍ୟର ୯ ଜିଲ୍ଲାକୁ ବ୍ୟାପିଲାଣି । ବେସରକାରୀ ଭାବେ ୨୦ରୁ ଅଧିକ ମୁଣ୍ଡ ଗଡିଲାଣି । ଏପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯାଇଛନ୍ତି ରାଜ୍ୟସ୍ତରୀୟ ଟିମ୍ । ଏନେଇ ଡାଇରିଆ ମୁକାବିଲା ପାଇଁ ଭଦ୍ରକରେ ପହଞ୍ଚିଛି ସ୍ବାସ୍ଥ୍ୟ ବିଭାଗର ଟିମ୍ । ଭଣ୍ଡାରୀପୋଖରୀ ହସ୍ପିଟାଲ୍ରେ ୩ ଜଣିଆ ଟିମ୍ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଚିକିତ୍ସାଧିକାରୀ ଡା. ସୁଧୀର ରଞ୍ଜନ ନାୟକଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ପରେ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳ ଗସ୍ତ କରିବ ଟିମ୍ ।
ଜିଲାରେ ଭଣ୍ଡାରିପୋଖରୀ ବ୍ଲକରେ ୨୦ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁହୋଇଛି। ସେହିପରି ଧାମନଗରରେ ୨୦ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତ। ଜିଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ନାୟକ କହିଛନ୍ତି। ଅପରପକ୍ଷେ ସଚେତନତା ରଥ ପରିକ୍ରମା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ମିଠା ଦୋକାନ, ଫାଷ୍ଟଫୁଡ୍ ଦୋକାନରେ ନିୟମିତ ଯାଞ୍ଚ କରାଯାଉଛି। ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି।
ସେପଟେ ଦୂଷିତ ପାନୀୟଜଳ ଯୋଗୁ ଡାଇରିଆ ବ୍ୟାପୁଥିବା ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍ । ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ । ପ୍ରତି ୩ଦିନରେ ଜଳ ଉତ୍ସର ବିଶୋଧନ କରାଯିବ । ଆକ୍ରାନ୍ତଙ୍କ କେସ୍ ହିଷ୍ଟ୍ରି ମେଣ୍ଟେନ ହେବ ।
ପ୍ରତ୍ୟେକ ଜିଲ୍ଲାରେ କୋର ଟିମ ଗଠନ ହେବ। ଏହାର ଆବାହକ ରହିବେ CDMO । ଟିମରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗର ଅଧିକାରୀ ମଧ୍ୟ ରହିବେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସ୍ଥିତିର ସମୀକ୍ଷା ହେବ ଓ ପରଦିନ ପାଇଁ ପ୍ଲାନ ପ୍ରସ୍ତୁତ କରାଯିବ । କଟକ ଏସସିବି ମେଡିକାଲକୁ ବାହାରୁ ରୋଗୀ ଆସୁଥିବାରୁ କଟକ ଜିଲ୍ଲାକୁ ଫୋକସରେ ରଖାଯାଇଛି ।