କେନ୍ଦ୍ରାପଡ଼ା: ରାଜ୍ୟରେ ଏବେ ଡାଇରିଆ ସ୍ଥିତି ବଢିବାରେ ଲାଗିଛି। ସ୍ଥିତି ଅଣାୟତ ହେଉଥିବାରୁ ଏହା ସ୍ୱାସ୍ଥ୍ୟବିଭାଗ ପାଇଁ ଚିନ୍ତା ବଢାଇଛି। ଏହାରି ଭିତରେ ଏବେ ଝାଡାବାନ୍ତିରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲା ଚକ୍ରୋଦ ପଞ୍ଚାୟତର ବୋଲି ଜଣାପଡ଼ିଛି। ଡାଇରିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏବେ ତାଙ୍କ ପରିବାରରେ ଆଉ ୨ ଜଣ ଡାଇରିଆରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏନେଇ ଖବର ପାଇବା ପରେ ମେଡ଼ିକାଲ ଟିମ୍ ସେଇ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟବ୍ୟବସ୍ଥା ଯାଞ୍ଚ କରୁଛି। ସଚେତନ କରିବା ସହିତ ବିଶୋଧନ କରିବାକୁ ପଦକ୍ଷେପ ନିଆଯାଉଛି। ଗାଁରେ ବ୍ଲିଚିଂ ପକାଇବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି ମେଡିକାଲ ଟିମ୍ । ଗାଁରେ ଲୋକଙ୍କୁ ଔଷଧ ବଣ୍ଟାଯାଇଛି । ତେବେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ପରିବାର ଲୋକଙ୍କ କହିବାନୁସାରେ ମହିଳା ଜଣକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ କଟକକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଘଟଣାପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଏହାର ତଦନ୍ତ କରୁଛି । ଗତ କିଛି ଦିନ ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ଡେରିବିଶ ବ୍ଲକର ଶ୍ୟାମସୁନ୍ଦରପୁରରେ ଡାଇରିଆରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସେଠାରେ ପହଞ୍ଚି ଝାଡବାନ୍ତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ।
ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ବାନ୍ତି ବ୍ୟାପିବାରେ ଲାଗିଛି । ସମ୍ବଲପୁରରେ ଡାଇରିଆରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଧନକଉଡାର ଶ୍ରବଣ ଛୁରିଆ । ଝାଡାବାନ୍ତି ଯୋଗୁଁ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେହି ପଡ଼ାରେ ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ ହୋଇଛି । ଆଜି(ଗୁରୁବାର) ଜିଲ୍ଲା ସଦର ମେଡିକାଲରେ ୩ରୁ ୪ଜଣ ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଏଡିଏମଓ ଡାକ୍ତର ଅଶୋକ ଦାସ ।