ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ବଡ଼ କୃଷ୍ଣପୁର ପଞ୍ଚାୟତ ଭୁଟାନାସୀ ଗାଁରୁ ଏହି ଦୁଃଖଦ ଖବର ଆସିଛି । ମୃତ ଦୁଇ ଭଉଣୀ ହେଲେ ରତନ ମଣ୍ଡଳଙ୍କ ବଡ଼ ଝିଅ ଚାନ୍ଦିନୀ ମଣ୍ଡଳ ଏବଂ ସାନ ଝିଅ ନନ୍ଦିନୀ ମଣ୍ଡଳ । ଉଭୟଙ୍କ ବୟସ ୫ରୁ ୬ ବର୍ଷ ହୋଇଥିବା ସୂଚନା ମିଳିଛି । ଉଭୟ ମାମୁଁ ଘରକୁ ବୁଲି ଆସିଥିବାବେଳେ ଏଭଳି ଅଘଟଣ ଘଟିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚାନ୍ଦବାଲି ବ୍ଲକ କରଣପଲେଇ ଗାଁର ରତନ ମଣ୍ଡଳଙ୍କ ପରିବାର ବାସୁଦେବପୁର ବ୍ଲକ୍ ଭୁଟାନାସୀ ଗ୍ରାମସ୍ଥିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ । ମାମୁଁଙ୍କ ଦେହ ଖରାପ ଥିବାରୁ ଉଭୟ ଭଉଣୀ ମାଆଙ୍କ ସହିତ ମାମୁଁ ଘର ଆସିଥିଲେ । କିନ୍ତୁ ଆଜି ଦୁଇ ଭଉଣୀ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ସେମାନଙ୍କୁ ଖୋଜିବା ପରେ ଉଭୟଙ୍କୁ ପୋଖରୀରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ କରିଥିଲେ । ବୁଡ଼ି ଯିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଖେଳୁଥିବାବେଳେ ପୋଖରୀରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । ଏକାସାଙ୍ଗରେ ଦୁଇ ଭଉଣୀଙ୍କ ଏଭଳି ଅକାଳ ବିୟୋଗ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।