ଯାଜପୁର : ରାଜ୍ୟରେ ଅଣାୟତ୍ତ ଡାଇରିଆ ପରିସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଅଧିକ ଧ୍ୟାନ ରହିଛି । ସବୁଠାରୁ ଅଧିକ ଯାଜପୁର ଜିଲ୍ଲା ଫୋକସ୍ରେ ରହିଛି । ଗୁରୁବାର ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଧର୍ମଶାଳା ମେଡିକାଲରେ ୪୦ରୁ ଉର୍ଦ୍ଧ୍ବ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମନ୍ତ୍ରୀ ସେଠାରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେ ନେଇ ରୋଗୀ ଓ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲ ବନ୍ଦ ହେବ କି ନାହିଁ ତାହା ଜ଼ିଲ୍ଲାପାଳଙ୍କୁ ଦାୟିତ୍ୱ ଦେଲେ। ଏହି ଆଲୋଚନାରେ ମନ୍ତ୍ରୀଙ୍କ ସମେତ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ।
ସୂଚନା ଥାଉକି ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ତେବେ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।