ପୁରୀ: ଅସୁସ୍ଥ ଅଛନ୍ତି ମହାପ୍ରଭୁ। ହେଲେ ବ୍ୟାକୁଳ ହେଉଛି ଭକ୍ତ ମନ। ମହାପ୍ରଭୁଙ୍କର ଶୀଘ୍ର ସୁସ୍ଥତା ପାଇଁ ବାଡ଼ିରୁ ଫଳ ଏବଂ ପରିବା ପଠାଉଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼ ଗାଡ଼ିରେ ଅଣସର ସେବା ପାଈଁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି। ସ୍ନାନପୂର୍ଣ୍ଣିମା ସ୍ନାନ କରିବା ପରେ ଶ୍ରୀଜିଉ ଥଣ୍ଡା, ଜ୍ୱରରେ ପୀଡ଼ିତ ଅଛନ୍ତି, ତାଙ୍କର ସୁସ୍ଥତା ପାଇଁ ଅଣସର ଘରେ ଚାଲିଛି ଗୁପ୍ତ ସେବା। ଏପଟେ ଦେଉଳିମଠରୁ ବି ମହାପ୍ରଭୁଙ୍କ ପାଇଁ ଫଳଭାର ସହ ତୁଳସୀ ହାର ପଠାଯାଇଛି।
ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଦଶ ମୂଳପଥି ସେବା । ଏ ସମୟରେ ଶ୍ରୀଜୀଉଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ହେଉଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳ କାକଟପୁର, ଅସ୍ତରଙ୍ଗ, ନୟାହାଟ, କୋଣାର୍କ ଅଞ୍ଚଳର ଭକ୍ତ ମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ ତୁଳସୀ ଓ ପଦ୍ମଫୁଲକୁ ସୁସଜ୍ଜିତ ତିନୋଟି ଶଗଡ଼ ଗାଡ଼ିରେ ଦେଉଳି ମଠରୁ ପୁରୀକୁ ପଠାଇଛନ୍ତି।