ପୁରୀ: ବଳଙ୍ଗା ବାୟାବର ଗ୍ରାମର ମୃତ ନାବାଳିକାକୁ ନ୍ୟାୟ ଦେବା ଦାବି ବିଜୁ ଜନତା ଦଳ ପକ୍ଷରୁ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡ଼ି ହରତାଳ କରୁଛି । କିନ୍ତୁ ବିଜେଡ଼ିର ଏହି ଆନ୍ଦୋଳନକୁ ବିରୋଧ କରିଛନ୍ତି ପୀଡ଼ିତାଙ୍କ ବାପା ଏବଂ ବାୟାବର ଗ୍ରାମବାସୀ । ଗାଁକୁ ବଦନାମ ନ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।
ଏହି ଘଟଣାରେ ଆଉ ରାଜନୀତି ନ କରିବାକୁ ପୀଡ଼ିତାଙ୍କ ବାପା ଅନୁରୋଧ କରିଛନ୍ତି । ସେ କହିଛନ୍ତି ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ । ମୋ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ । ତେଣୁ ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ସେ କହିଛନ୍ତି ।
ବାୟାବର ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି, ବିଜେଡ଼ି କେବଳ ରାଜନୈତିକ ରୁଟି ସେକୁଛି । ଗାଁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପୀଡ଼ିତାଙ୍କ ପରିବାର ଲୋକ ବହୁତ ମାନସିକ ଦୁଶ୍ଚିନ୍ତାରେ ଗତି କରୁଛି । ରାଜନୈତିକ ଦଳ ଜଣେ ଝିଅର ମୃତ୍ୟୁ ନେଇ ଅତି ତଳକୁ ଖସି ଯାଉଛନ୍ତି । ଏ ମାମଲାରେ ରାଜନୀତି ନ କରି ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାନ୍ତୁ ଏବଂ ପୀଡ଼ିତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗାଁ ଲୋକେ ଅନୁରୋଧ କରିଛନ୍ତି ।