ଭୁବନେଶ୍ୱର : ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବଂ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି ହୋଇଛି । ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ସେହିପରି ଅନ୍ୟ ପାଶ୍ବବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହେବ ।