ଭୁୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ଦାନା । ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା । ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରାଯାଇଛି । ରାଜ୍ୟର ୧୪ ପ୍ରଭାବିତ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ୨୮୮ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀ, ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୧୯ ଏନଡିଆରଏଫ ଦଳ, ୫୧ ଓଡ୍ରାଫ ଟିମ୍ ଓ ୧୭୮ ଅଗ୍ନିଶମ ଦଳ ମୁତୟନ କରାଯାଇଛି । ଏହା ବାଦ୍ ପ୍ରଭାବିତ ଅଞ୍ଚଳରେ ୪୦ ଅତିରିକ୍ତ ଟିମ ମୁତୟନ କରାଯାଇଛି । ବୁଧବାର ସକାଳେ ଭାରତୀୟ ବାୟୁସେନାର ଦୁଇ ବିମାନ ଜରିଆରେ ୧୫୦ ଏନଡିଆରଏଫ କର୍ମୀ ରିଲିଫ ସାମଗ୍ରୀ ସହିତ ଭୁବନେଶ୍ୱର ପହଞ୍ଚିଛନ୍ତି ।
ଆଲର୍ଟରେ ରଖାଯାଇଥିବା ଜିଲ୍ଲାଗୁଡିକ ହେଉଛି ଅନୁଗୋଳ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ ଓ ମୟୂରଭଞ୍ଜ । ଏହି ୧୪ ଜିଲ୍ଲାରେ ୩ ହଜାରରୁ ଅଧିକ ସମ୍ବେଦନଶୀଳ ଗାଁ ଚିହ୍ନଟ କରାଯାଇଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଶୁକ୍ରବାର ସକାଳେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଇମଏଡି ଅନୁଯାୟୀ, ପାରାଦୀପଠୁ ୫୨୦ ଓ ସାଗରଦ୍ୱୀପରୁ ୬୦୦ କିମି ଦୂରରେ ବାତ୍ୟା ରହିଛି । ଘଣ୍ଟା ପ୍ରତି ଏବେ ୧୫ କିମି ବେଗରେ ଗତି କରୁଛି ଦାନା ।
ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା । ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଯାଏଁ ରହିବ । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦୁଇ ଘଣ୍ଟା ଧରି ଜାରି ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ଭିତରେ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଛନ୍ତି । ବାତ୍ୟା ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନ ସାଧାରଣଙ୍କୁ ଅପିଲ୍ କରିଛନ୍ତି । ସେ କହିଛନ୍ତି, ବାତ୍ୟା ଶିବିରରେ ଖାଦ୍ୟ, ପିଇବା ପାଣି, ଶିଶୁଙ୍କ ପାଇଁ ଆହାରର ବ୍ୟବସ୍ଥା କରାଯାଇଛି । ବାତ୍ୟା ଶିବିରରେ ମହିଳା ପୋଲିସଙ୍କୁ ମୁତୟନ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ପାଖାପାଖି ୧୦ ଲକ୍ଷ ଲୋକଙ୍କକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବୁ ବୋଲି ଆଶା ରଖିଛୁ ।