ଭୁବନେଶ୍ୱର: ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା । ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୨୪ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ହୋଇପାରେ । ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଯାଏଁ ରହିବ । ତେବେ ଭିତରକନିକା ପାଖରେ ଲ୍ୟାଣ୍ଡଫଳ ହେଲେ ଭଲ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।
ସେ କହିଛନ୍ତି, ଭିତରକନିକାରେ ୨ ଶହ ବର୍ଗ କିଲୋମିଟର ହେନ୍ତାଳ ବନ ରହିଛି । ହେନ୍ତାଳ ବନ ପବନ ସହ ସମୁଦ୍ର ଜୁଆରକୁ ରୋକିବ । ଫଳରେ ବାତ୍ୟାର ପ୍ରଭାବ କିଛି ମାତ୍ରାରେ କମିବ । ଯଦି ଗଛ ପଡି ରାସ୍ତା ବନ୍ଦ ହୁଏ ସେଥିପାଇଁ ୫ ଟିମ୍ ରହିଛି । ଯଦି କୁମ୍ଭୀର ଗାଁକୁ ପଶି ଯାଆନ୍ତି ୨ଟି ଟିମ୍ ଉଦ୍ଧାର କରିବେ ।
ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତା ୨୪ ତାରିଖ ରାତ୍ରି ଏବଂ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡ ଫଲ୍ କରିବ ।
ସେ କହିଛନ୍ତି, ଲ୍ୟାଣ୍ଡିଂ ପ୍ରକ୍ରିୟା ଦୀର୍ଘ ୨ ଘଣ୍ଟା ଧରି ଚାଲୁ ରହିବ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ୧୧୦କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଝଟକା ପବନ ୧୨୦ କିମି ରହିବ । ସେହିପରି ବାତ୍ୟା ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୃତ୍ରିମ ବନ୍ୟା ମଧ୍ୟ ହୋଇପାରେ । ଲ୍ୟାଣ୍ଡ ଫଲ୍ ବେଳେ ସମୁଦ୍ର ଅଶାନ୍ତ ରହିବ ସହିତ ୧ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ ।