କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ର ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଭିତରକନିକା ଏବଂ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡ ଫଲ୍ କରିବ । ଭିତରକନିକା ଅଞ୍ଚଳବାସିଙ୍କ ମନରେ ଛନକା ପଶିଛି । ଆସନ୍ନ ବାତ୍ୟାକୁ ଦେଖି ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଭିତରକନିକାକୁ ତିନି ଦିନ ଅର୍ଥାତ୍ ଅକ୍ଟୋବର ୨୩, ୨୪ ଓ ୨୫ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ସେହିପରି ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ଯଦି ବାତ୍ୟା ଭିତରକନିକାରେ ମାଡ଼ ହୁଏ, ତେବେ ଓଡ଼ିଶାରୁ ଅନେକ ବିପଦ ଟଳିବାର ସମ୍ଭାବନା ରହିଛି । ଭିତରକନିକା ପାଖରେ ଲ୍ୟାଣ୍ଡଫଳ ହେଲେ ଭଲ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି । ଭିତରକନିକାରେ ୨ ଶହ ବର୍ଗ କିଲୋମିଟର ହେନ୍ତାଳ ବନ ରହିଛି । ହେନ୍ତାଳ ବନ ପବନ ସହ ସମୁଦ୍ର ଜୁଆରକୁ ରୋକିବ । ଫଳରେ ବାତ୍ୟାର ପ୍ରଭାବ କିଛି ମାତ୍ରାରେ କମିବ । ଯଦି ଗଛ ପଡି ରାସ୍ତା ବନ୍ଦ ହୁଏ ସେଥିପାଇଁ ୫ ଟିମ୍ ରହିଛି । ଯଦି କୁମ୍ଭୀର ଗାଁକୁ ପଶି ଯାଆନ୍ତି ୨ଟି ଟିମ୍ ଉଦ୍ଧାର କରିବେ ।