ଜଗତସିଂହପୁର: ଦାନାକୁ ନେଇ ଜଗତସିଂହପୁରରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପାରାଦୀପରୁ ଶିଆଳି ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ କରାଯିବ । ସେହିପରି ସମୁଦ୍ର କୂଳରେ ୧୪୪ ଧାରା ଜାରି କରାଯିବ ବୋଲି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି ।
ଆଜି ଜିଲ୍ଲା ଦାୟିତ୍ୱରେ ଥିବା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଜିଲ୍ଲାପାଳ ଜେ. ସୋନାଲଙ୍କୁ ନେଇ ବାତ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଜିଲ୍ଲାପାଳ କହିଛନ୍ତି ଯେ ଆଜି ସନ୍ଧ୍ୟାରୁ ପାରାଦୀପରୁ ଶିଆଳି ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ କରାଯିବ । ସମୁଦ୍ର କୂଳରେ ୧୪୪ ଧାରା ଜାରି କରାଯିବ । ନଦୀ ବନ୍ଧରେ ୪ ଚକିଆ ଯାନ ଓ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ସେହିପରି ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାରେ ୨୧୪ଟି ଅସ୍ଥାୟୀ ଶିବିର ଓ ୪୫ଟି ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି । ଯେଉଁଠି ୮୮ ହଜାର ଲୋକଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରେ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବିଭିନ୍ନ ଗାଁ ଏବଂ ବସ୍ତିରୁ ଲୋକଙ୍କୁ ଆଣିବାକୁ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅନ୍ୟପକ୍ଷରେ ବାତ୍ୟାକୁ ନଜରେ ରଖି ପୁରୀ ହବିଷ୍ୟାଳିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳି ଶିବିରରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ଏବଂ ଜେନେରେଟର ବ୍ୟବସ୍ଥା କରାଯାଇଛି । ଦରକାର ପଡ଼ିଲେ ସେମାନଙ୍କର ୨୪ ଏବଂ ୨୫ ତାରିଖରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିପାରେ । ଶ୍ରଦ୍ଧାଳୁ ଏ ସମୟରେ ଶୀମନ୍ଦିର ଓ ସମୁଦ୍ର କୂଳକୁ ନ ଆସିବାକୁ ଗଣମାଧ୍ୟମ ଜରିଆରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିବେଦନ କରିଛନ୍ତି ।