ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି ଦେଇ ଜାମିନ ପ୍ରଦାନ କରିଛନ୍ତି । ୨୦୦୧ରେ ହୋଟେଲ୍ ବ୍ୟବସାୟୀ ଜୟା ସେଟ୍ଟୀଙ୍କ ହତ୍ୟା ପାଇଁ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୨୪ ମେ ୩୦ରେ ଏକ ସ୍ୱତନ୍ତ୍ର ମକୋକା ଅଦାଲତ ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଆଜି ବମ୍ବେ ହାଇକୋର୍ଟ ରାଜନର ଆଜୀବନ କାରାଦଣ୍ଡକୁ ସମାପ୍ତ କରିଛନ୍ତି ।
ଜଷ୍ଟିସ ରେବତୀ ମୋହିତେ ଡେରେ ଓ ପୃଥ୍ୱୀରାଜ ଚହ୍ୱାଣଙ୍କ ପୀଠ ଛୋଟା ରାଜନଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଲଚିକାରେ ଜାମିନ ପ୍ରଦାନ କରିଛନ୍ତି । ହେଲେ ଛୋଟା ରାଜନ ନାଁରେ ଅନ୍ୟ ଅପରାଧିକ ମାମଲା ଥିବାରୁ ଜେଲରେ ରହିବ । ଏହା ପୂର୍ବରୁ ମେ ମାସରେ ଏକ ସ୍ୱତନ୍ତ୍ର ଅଦାଲତ ହୋଟେଲ୍ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଛୋଟା ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଛୋଟା ରାଜନ ଏହି ଦଣ୍ଡାଦେଶ ବିରୋଧରେ ବମ୍ବେ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ।
କିଏ ଏହି ଛୋଟା ରାଜନ ?
ମୁମ୍ବାଇର ଚେମ୍ବୁର ନିବାସୀ ରାଜେନ୍ଦ୍ର ସଦାଶିବ ନିଖଲଜେଙ୍କୁ ଅଣ୍ଡରଓ୍ଵାର୍ଲ୍ଡ ଛୋଟ ରାଜନର ନାଁ ଦେଇଥିଲା। ରାଜେନ୍ଦ୍ର ସଦାଶିବ ସ୍କୁଲ ଛାଡ଼ିବା ପରେ ଫିଲ୍ମ ଟିକେଟ୍ ବ୍ଲାକ କରିବା ଆରମ୍ଭ କରିଥିଲା। ଏହା ପରେ ଧିରେ ଧିରେ ରାଜନ ନାୟର ଗ୍ୟାଙ୍ଗରେ ସାମିଲ ହୋଇଥିଲା। ରାଜନ ନାୟରଙ୍କୁ ବଡ଼ା ରାଜନ କୁହାଯାଉଥିଲା। ପରବର୍ତ୍ତୀ ସମୟରେ ରାଜେନ୍ଦ୍ର ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେବା ପରେ ତାରି ନାଁ ଛୋଟା ରାଜନ ହୋଇଥିଲା। ପୁଣି ଛୋଟା ରାଜନ ଦାଉଦ ଇବ୍ରାହିମ ସଂପର୍କରେ ଆସିଥିଲା। ଉଭୟ ମିଶି ଦୀର୍ଘ ସମୟ ମୁମ୍ବାଇରେ ଅଣ୍ଡରଓ୍ଵାର୍ଲ୍ଡର ସିଣ୍ଡିକେଟ୍ ସମ୍ଭାଳିଥିଲେ।