ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣ ଗାଁ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କର ମୃତ୍ୟୁ ହୋଇଛି। ମୃତକ ତୁମୁସିଙ୍ଗା ଥାନା କାଳିଆହତା ଗାଁର ଦଣ୍ଡଧର ପ୍ରଧାନ ବୋଲି ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବୃଦ୍ଧଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ଢେଙ୍କାନାଳ -କାମାକ୍ଷାନଗର ମୁଖ୍ୟ ରାସ୍ତାରେ ପଥର ରାସ୍ତା ଅବରୋଧ କରିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଏନେଇ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।