ପାରାଦୀପ: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦର ଗୁଡ଼ିକୁ ବିପଦ ସଙ୍କେତ ଜାରି କରାଯାଇଛି । ଏହାକୁ ନଜରରେ ରଖି ପାରାଦୀପ ବନ୍ଦର ପକ୍ଷରୁ ସ୍ଵତନ୍ତ୍ର ସର୍କୁଲାର ଜାରି କରାଯାଇଛି । ଜାହାଜଗୁଡ଼ିକୁ ବନ୍ଦର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଭୀର ସମୁଦ୍ର ଭିତରକୁ ଯିବାକୁ ବନ୍ଦର ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ।
ବାତ୍ୟାକୁ ନଜରରେ ରଖି ବନ୍ଦର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନ୍ଦର ତରଫରୁ ସତର୍କତା ଅବଲମ୍ବନ କରାଯାଇଛି କ୍ଷ ବାତ୍ୟା ସମୟରେ ବନ୍ଦର ବର୍ଥ ମଧ୍ୟରେ ରହିଥିବା ଜାହାଜ ଗୁଡିକ ପିଟିହେବାର ସମ୍ଭାବନା ରହିଛି । ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ଯିବା ପାଇଁ ବନ୍ଦର ତରଫରୁ ନିର୍ଦ୍ଦେଶ ଦିଆଯାଇଛି କ୍ଷ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସମସ୍ତ ଜାହାଜରୁ ବୋଝେଇ ଖଲାସ ଶେଷ କରିବାକୁ କୁହାଯାଇଥିବାବେଳେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଆଙ୍କରେଜରେ ଥିବା ଜାହାଜଗୁଡିକ ଲଙ୍ଗର ଉଠାଇ ଗଭୀର ସମୁଦ୍ରରେ ନିରାପଦ ଦୂରତାକୁ ଚାଲି ଯିବାକୁ କୁହାଯାଇଛି । ଜାହାଜ ଗୁଡ଼ିକ ଗଭୀର ସମୁଦ୍ର ମଧ୍ୟରେ ଅଧିକ ସୁରକ୍ଷିତ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ହରନାଦ କହିଛନ୍ତି ।
ଏପରିକି କୋଷ୍ଟ ଗାର୍ଡ ଜାହାଜଗୁଡିକ ବନ୍ଦରାଞ୍ଚଳ ଛାଡି ସମୁଦ୍ର ମଧ୍ୟକୁ ଚାଲି ଯିବାକୁ ସର୍କୁଲାରରେ ଉଲ୍ଲେଖ ରହିଛି । ବନ୍ଦର ମଧ୍ୟରେ ଥିବା ଭାରିଯାନ, ହାଇମାଷ୍ଟ ଲାଇଟ ଓ ଅନ୍ୟାନ୍ୟ ଉପକରଣ ସୁରକ୍ଷିତ ଭାବେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯଦି କୌଣସି ବୋଟ କିମ୍ବା ଟ୍ରଲର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନଙ୍କୁ ବନ୍ଦର ପୋତାଶ୍ରୟ ମଧ୍ୟରେ ଆଶ୍ରୟ ଦେବାପାଇଁ ବନ୍ଦର କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି କ୍ଷ ଏହା ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ସବୁ କ୍ଷେତ୍ରରେ ବନ୍ଦର ପ୍ରଶାସନ ପ୍ରସ୍ତୁତ ରହିବା ସହ ସଜାଗ ଓ ସତର୍କ ରହିବାକୁ ବନ୍ଦରରେ ରହୁଥିବା ଲୋକଙ୍କୁ କୁହାଯାଇଛି ।
ବାତ୍ୟାକୁ ଯୋଗୁଁ ପାରଦୀପ, ଧାମରା ଏବଂ ପୁରୀ ସିଗନାଲ ପୋର୍ଟକୁ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଥିବାବେଳେ ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।