ଭୁବନେଶ୍ୱର: ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା । ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୨୪ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ହୋଇପାରେ । ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଯାଏଁ ରହିବ । ଲ୍ୟାଣ୍ଡଫଲ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆଜି ସୂଚନା ଦେଇଛନ୍ତି । ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ । ପାରାଦୀପଠୁ ୫୨୦ ଓ ସାଗରଦ୍ୱୀପରୁ ୬୦୦ କିମି ଦୂରରେ ବାତ୍ୟା ରହିଛି । ଘଣ୍ଟା ପ୍ରତି ଏବେ ୧୫ କିମି ବେଗରେ ଗତି କରୁଛି ଦାନା ।
ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।
ବାତ୍ୟା ଦାନା ପାଇଁ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଙ୍କେତ ଜାରି କରାଯାଇଛି । ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଯାଜପୁର, କଟକ ଓ ପାଶ୍ୱର୍ବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଯାଜପୁର, କଟକ ଓ ପାଶ୍ୱର୍ବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ରେ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖ ବର୍ଷାର ପ୍ରଭାବ ରହିବ ଏବଂ ୨୬ରୁ କମିବ ।