ଭୁୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା’ର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଧାମରା, ପାରାଦୀପରେ ବର୍ଷା ଆରମ୍ଭ ହୋଇ ଯାଇଛି । ଆକାଶରେ ଘୋଟି ଆସିଲାଣି କଳାହାଣ୍ଡିଆ ମେଘ । ଧାମରାରେ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି । ପାରାଦୀପର ଆକାଶ ମେଘାଚ୍ଛନ୍ନ ରହିଛି । କେନ୍ଦ୍ରାପଡା ରାଜନଗରରେ ବି ବର୍ଷା ଆରମ୍ଭ ହୋଇ ଯାଇଛି।
ସୂଚନାଯୋଗ୍ୟ, ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା । ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଯାଏଁ ରହିବ । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦୁଇ ଘଣ୍ଟା ଧରି ଜାରି ରହିବ । ତେବେ ଭିତରକନିକା ପାଖରେ ଲ୍ୟାଣ୍ଡଫଳ ହେଲେ ଭଲ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ୧୪ ପ୍ରଭାବିତ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରାଯାଇଛି । ଏବେ ପାରାଦୀପଠୁ ୫୧୦ ଓ ସାଗରଦ୍ୱୀପରୁ ୫୯୦ କିମି ଦୂରରେ ବାତ୍ୟା ରହିଛି । ଘଣ୍ଟା ପ୍ରତି ଏବେ ୧୫ କିମି ବେଗରେ ଗତି କରୁଛି ଦାନା ।
ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।