ବରଗଡ଼ : ଚାଷୀମାନଙ୍କ ଆମ୍ବ ବିକ୍ରିର ବ୍ୟବସ୍ଥା ସହ ଗ୍ରାହକମାନେ କିପରି ଗୋଟିଏ ଜାଗାରେ ବିଭିନ୍ନ କିସମର ଆମ୍ବ ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ବରଗଡ଼ରେ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା। ଓରମାସ ପ୍ରାୟୋଜିତ,ଉଦ୍ୟାନ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଆମ୍ବ ପସରାକୁ ଜିଲ୍ଲା ପରିଷଦ ସିଇଓ ଲଲାଟ ଲୁହା ଉଦଘାଟନ କରିଥିଲେ ତେବେ ଆମ୍ବ ପସରା କରଜ୍ୟକ୍ରମଟି ଆସନ୍ତା ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁଠି ଗ୍ରାହକ ସୁଲଭ ମୂଲ୍ୟରେ ତାଜା ଓ ସତେଜ ଭିନ୍ନ କିସମର ଆମ୍ବ ପାଇ ପାରିବେ।
ତେବେ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ଦେଖିବାକୁ ମିଳିଛି ଆମ୍ବର ପସରା। ପାଛିଆରେ ସଜା ହୋଇଛି ଭଳିକି ଭଳି ଆମ୍ବ। ସାମିଲ ହୋଇଛନ୍ତି ଅନେକ ଗାଁର ଆମ୍ବ ଚାଷୀ। ଆମ୍ରପଲ୍ଲୀ ଠାରୁ ଆରମ୍ଭ କରି ଲେଙ୍ଗଡା,ଦସେରି, ତୋଟା ପଲେଇ, ବାଇଗଣ ପଲେଇ, ଗୋଲାପଖସ,ମଲ୍ଲିକା,ଲାଟ ସେନ୍ଦ୍ରୀ, ନିଲମ,ଅଲଫାନସୋ ସମେତ ବିଭିନ୍ନ କିସମ ଆମ୍ବ ରହିଛି। ସୁଲଭରେ ଚାଷୀ ଙ୍କ ଆମ୍ବ ବିକ୍ରି ଲାଗି ଏପରି ଏକ ବିକ୍ରୟ କେନ୍ଦ୍ରର ପରିକଳ୍ପନା କରାଯାଇଛି। ଯେଉଁଠି ଲୋକେ ନିଜ ପସନ୍ଦ ଅନୁଯାୟୀ ବାଛି ନେଉଛନ୍ତି ଆମ୍ବ। , ଏଥିସହ ଚାଷୀ ମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଉତ୍ପାଦନର ଠିକ ମୂଲ୍ୟ ପାଇପାରିବେ।
ଓରମାସ ଓ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହନ ସହ ଖାଉଟିଙ୍କୁ ଗୋଟିଏ ଛାତ ତଳେ ବିଭିନ୍ନ କିସମର ଆମ୍ବ ଯୋଗେଇଦେବା ଲକ୍ଷ୍ୟରେ ଗତ ୭ବର୍ଷ ପୂର୍ବରୁ ଆୟୋଜନ ହୋଇଛି ଗାଁ ଆମ୍ବ ବଜାର। ଯାହାକୁ ନେଇ ଚାଷୀ ଓ ଖାଉଟି ବେଶ ଲାଭବାନ ସହ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ଜିଲ୍ଲାରେ ଧାନ ଚାଷ ଉପରେ ନିର୍ଭର ନକରି ଆମ୍ବ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ସହ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ନହୋଇ ସ୍ବଦେଶୀ ଗାଁ ଆମ୍ବ ବିକି ବେଶ ଲାଭଵାନ ହେବା ପାଇଁ ପ୍ରଶାସନର ଉଦେଶ୍ୟ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ।