ଭୁବନେଶ୍ୱର: ବର୍ଷା ଜନିତ କ୍ଷୟକ୍ଷତି ନେଇ ରାଜ୍ୟ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାରୁ ବୈଠକରେ ନିଷ୍ପତ୍ତି ହୋଇଛି ।
ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ କୃଷି ସଚିବ ଡାକ୍ତର ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଡ଼ି ହୋଇଥିଲେ । ମେ ୨୭ରୁ ୩୦ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ ବି ବ୍ୟକ୍ତିର କିଛି ବି କ୍ଷତି ହେଉଛି, ତାଙ୍କୁ ତ୍ୱରିତଭାବେ କ୍ଷତିପୂରଣ ପ୍ରଦାନ କରାଯିବ । ଫସଲ ସହିତ ଘର ଭଙ୍ଗା ପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କ୍ଷତିପୂରଣ ଦିଆଯିବ । ମାତ୍ର ୩ ଦିନ ଭିତରେ ସମୀକ୍ଷା କରାଯାଇ ଚତୁର୍ଥ ଦିନରେ କ୍ଷତିପୂରଣ ଦିଆଯାଉଛି ।
ଏହି ବୈଠକର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଯୋଗ ଦେଇ ପାଣିପାଗ ବିଭାଗ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ମେ ୨୭ରୁ ୩୦ ମଧ୍ୟରେ ସର୍ବାଧିକ ୪୧.୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।