ଭୁବନେଶ୍ୱର: ସିକିମର ଗ୍ୟାଙ୍ଗଟକରେ ଏକ ଘାଟିରୁ ଖସି ନିଖୋଜ ଥିବା ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ଏବଂ ତାଙ୍କର ପରିବାର ସଦସ୍ୟ ଏବେବି ନିଖୋଜ । ଘଟଣାକୁ ୩ ଦିନ ବିତିବାକୁ ବସିଥିବାବେଳେ ଏଯାଏଁ କୌଣସି ଖୋଜ୍ ଖବର ନାହିଁ । ଇତ୍ରିଶ୍ରୀଙ୍କ ବଡ଼ ପୁଅ ସୋହେଲ, ସାନ ଭାଇ ଅଜିତ ନାୟକ (ଲାଟୁ) ଓ ଭାଉଜ ସୁନିତା ନାୟକ ମଧ୍ୟ ନିଖୋଜ ଅଛନ୍ତି ।
ଅନ୍ୟପକ୍ଷରେ ସିକିମ୍ ସରକାର ନିଖୋଜ ପର୍ଯ୍ୟଟକଙ୍କୁ ଖୋଜିବାକୁ ସମସ୍ତ କଳବଳ କୌଶଳ ଲଗାଇଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସେଠାକାର ସରକାରଙ୍କ ସହିତ ଆଲୋଚନା କରିଛନ୍ତି । ତଥାପି କିଛି ସୁଫଳ ହୋଇ ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୫ତାରିଖ ଦିନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ତଥା ଯାଜପୁର ବ୍ୟାସନଗର ପୌରାଞ୍ଚଳ ଉମାପଦା ଅଞ୍ଚଳର ଇତିଶ୍ରୀ ଜେନା ନିଜ ପରିବାର ସଦସ୍ୟଙ୍କ ସହିତ ସିକିମର ଗ୍ୟାଙ୍ଗଟକ ବୁଲିବାକୁ ଯାଇଥିଲେ । ଗୁରୁବାର ଦୁଇଟି ଗାଡିରେ ଜିରୋ ପଏଣ୍ଟ୍ ଏକ ହିଲ ଟପକୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରୁଥିବାବେଳେ ଇତିଶ୍ରୀ ଜେନା, ତାଙ୍କ ବଡ଼ ପୁଅ, ସାନ ଭାଇ ଏବଂ ଭାଉଜ ଥିବା ୧୧ ଜଣିଆ ଗାଡ଼ିଟି ଘାଟିରୁ ତଳକୁ ଖସି ପଡ଼ିଥିଲା । ଫଳରେ ସେମାନେ ନିଖୋଜ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଇତିଶ୍ରୀଙ୍କ ସାନ ପୁଅ ଏବଂ ଅନ୍ୟ ଭାଇ ଭାଉଜ ଥିବା ଅନ୍ୟ ଏକ ଗାଡ଼ିଟି ସୁରକ୍ଷିତ ଫେରିଥିଲା ।