ନୟାଗଡ଼: ନୟାଗଡ଼ ପଞ୍ଚରିଡ଼ା ବନାଞ୍ଚଳ ବନ ଅଧିକାରୀ ଶିଶିର ସାହୁଙ୍କ ମୃତ୍ୟୁ ମାମଲାରେ ଏବେ ଭିନ୍ନ ମୋଡ଼ ନେଇଛି । ଫରେଷ୍ଟରଙ୍କ ବାସଭାବନରେ ନିଆଁ ଲାଗିବା ଏବଂ ମୃତ୍ୟୁ ଘଟଣାରେ ପରକୀୟା ପ୍ରୀତି ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପତ୍ନୀ ନମିତା ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ଫରେଷ୍ଟରଙ୍କ ବଡ଼ ଭାଇ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ପଞ୍ଚରିଡ଼ା ବନ ଅଧିକାରୀ ଶିଶର ସାହୁ ଗତକାଲି ରାତିରେ ବାରମାସୀଦଣ୍ଡାସ୍ଥିତ ତାଙ୍କ ବାସଭବନରେ ଶୋଇଥିଲେ । ହେଲେ ରାତିରେ ହଠାତ୍ ତାଙ୍କ ବାସଭବନରେ ନିଆଁ ଲାଗିଥିଲା । ପତ୍ନୀ ନମିତା ଘର ବାହାରକୁ ଆସି ପଡ଼ୋଶୀଙ୍କୁ ଡାକିଥିଲେ । ପଡ଼ୋଶୀ ନିଆଁକୁ ଆୟତ୍ତ କରିବାକୁ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ତୁରନ୍ତ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ସେ ଘର ସମସ୍ତ ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏପରିକି ଘର ବାହାର ଗେଟ୍ ପର୍ଯ୍ୟନ୍ତ ମଧ୍ୟ ନିଆଁ ଆସିଯାଇଥିଲା । ଅଗ୍ନିଶମ ବାହିନୀ ନିଆଁ ଲିଭାଇବାବେଳକୁ ତେବେ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ତାଙ୍କ ଶୋଇବା ଘରୁ ମିଳିଥିଲା । ପତ୍ନୀ ନମିତା ସାମାନ୍ୟ ଆହତ ହୋଇଥିବାବେଳେ ପୁଅ ଅଭିଷେକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ।
ସେପଟେ ଫରେଷ୍ଟର ଶିଶିର ସାହୁଙ୍କ ବଡ଼ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି । ପତ୍ନୀ ନମିତା ପ୍ରଥମେ ହତ୍ୟା କରି ଘରେ ନିଆଁ ଲଗାଇ ଦେଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
ନୟାଗଡ଼ ଟାଉନଥାନା ପୋଲିସ, ଏସଡିପିଓ, ଅତିରିକ୍ତ ଏସପି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଘଟଣା ଘଟାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସପି ସୁବାଷ ପଣ୍ଡା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଅତିରିକ୍ତି ଏସପି ସୁବାଷ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ।