ପୁରୀ: ପ୍ରତିବର୍ଷ ଆଜିର ଦିନକୁ 'ବିଶ୍ୱ ତମାଖୁ ବର୍ଜନ ଦିବସ' ଭାବେ ପାଳନ କରାଯାଇଥାଏ । ତମାଖୁର ଆମ ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହୋଇଥାଏ । ସେଥିପାଇଁ ବାଲୁକା କଳାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସଚେତନତା ନିମନ୍ତେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ।
ଦେଶ ବା ବିଶ୍ଵରେ ଯୁବ ପିଢ଼ି ତମାଖୁ ସେବନ ପ୍ରତି ଆକୃଷ୍ଟ ହେଉଛନ୍ତି । ଯାହା ଫଳରେ ସେମାନେ କର୍କଟ, ହୃଦରୋଗ, ଶ୍ୱାସରୋଗ ଆଦି ଭଳି ବିଭିନ୍ନ ରୋଗର ସମ୍ମୁଖୀନ ହୋଇଥାନ୍ତି । ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇଥାଏ । ତମାଖୁ ସେବନ ଦ୍ୱାରା ବହୁ ପରିବାର ମଧ୍ୟ ନଷ୍ଟ ହୋଇଥାଏ । ଦେଶ ବା ବିଶ୍ଵରୁ ତମାଖୁ ବର୍ଜନ କରିବା ପାଇଁ ବାଲୁକା କଳାରେ ଲୋକମାନଙ୍କୁ ସଚେତନ କରାଯାଇଛି । ଏହି ବାଲୁକା କଳାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିଲା ।