ଅନୁଗୁଳ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ଜଣଙ୍କୁ ଅଟକ ରଖିଛି। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ତଳସିରା ଗାଁରେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ତଳସିରା ଗାଁର ରଞ୍ଜନ ସାହୁ ଆମ୍ବ ବଗିଚାକୁ ସୁରକ୍ଷିତ ରଖିବା ପାଇଁ ବାଡି଼ ଚାରିପଟେ ବିଦ୍ୟୁତ ତାର ସଂଯୋଗ କରିଥିଲେ। ରାତିରେ ଆମ୍ବ ଖାଇବା ପାଇଁ ଏକ ଦନ୍ତା ହାତୀ ବାଡି଼ ଭିତରେ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଦନ୍ତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଯାଇଥିଲା।
ହାତୀର ମୃତ୍ୟୁ ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଏହାର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି। ଏଥି ସହିତ ଅଭିଯୁକ୍ତ ରଞ୍ଜନଙ୍କୁ ଅଟକ ରଖିଛି। ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି କରାଯାଇଛି ।