ଭୁବନେଶ୍ୱର: ରାଜ୍ୟରେ ବେଆଇନ ଏବଂ ବିଷାକ୍ତ ମାଦକଦ୍ରବ୍ୟ ରୋକିବାକୁ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ସଚେତନା କାର୍ଯ୍ୟକ୍ରମ । ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅବକାରୀ ବିଭାଗ ପକ୍ଷରୁ ମେ ୩୧ରୁ ଜୁନ୍ ୨୬ ଜୁନ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିବ ।
ପ୍ରାୟ ଏକ ମାସ ଧରି ହେବାକୁ ଥିବା ବିଷାକ୍ତ ମାଦକ ଦ୍ରବ୍ୟକୁ ବ୍ୟବହାର ନ କରିବାକୁ ସଚେତନତା କାର୍ଯ୍ୟକ୍ରମ ହେବ । ପାଲା, ଦାସକାଠିଆ, ଘୋଡ଼ାନାଚ ଏବଂ ବିଭିନ୍ନ ହାଟବଜାର ଅଞ୍ଚଳରେ ପଥପ୍ରାନ୍ତ ନାଟକ ଜରିଆରେ ବେଆଇନ ନିଶା ସେବନ କାରବାରର କୁପରିଣତି ନେଇ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ହେବ । ବିଦ୍ୟାଳୟସ୍ତରରେ ମଧ୍ୟ ପ୍ରବନ୍ଧ ପ୍ରତିଯୋଗିତା ହେବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ରେ ସଚେତନତା ରଥ ବୁଲିବ । ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଗଞ୍ଜେଇ ଚାଷ ରୋକିବାକୁ ନିଆଯିବ ପଦକ୍ଷେପ । ଏଥି ସହ ବିଭିନ୍ନ ବିଭାଗ ଜରିଆରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ‘ଜୀବନକୁ ହଁ କୁହ, ନିଶାକୁ ନାଁ’ (Say Yes to Life, No to Drugs) ସଂକଳ୍ପ କାର୍ଯ୍ୟକ୍ରମ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ ମାନସ ପୋର୍ଟାଲ(MANAS Portal) ଏବଂ ୧୯୩୩ ହେଲପ୍ଲାଇନ୍ ନମ୍ବର ଉପଯୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବ ।