ଭୁବନେଶ୍ୱର: ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍ ନୋ ଟୋବାକୋ ଡେ’ ଭାବେ ପାଳନ କରାଯାଏ। ତମାଖୁ ସେବନ ଏବେ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହେବା ସହ ଏହା ବାର୍ଷିକ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ତମାଖୁ କାହାର ସ୍ୱପ୍ନ ଉଜାଡିଦେଉଛି ତ, ଆଉ କାହାର ସଂସାର। ଏହାଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ନିଜେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିବା ସହ ପୂରା ପରିବାରକୁ ମଝି ସମୁଦ୍ରରେ ଭସେଇ ଦେଉଛନ୍ତି। ଏହା ଶ୍ୱାସଜନିତ ରୋଗ ଠାରୁ ଆରମ୍ଭ କରି ହୃଦରୋଗ, ବ୍ରେନଷ୍ଟ୍ରୋକ୍, କ୍ୟାପସର ବିଶେଷ କରି ମୁଖ ଗହ୍ୱର କର୍କଟ ବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟିଛି। ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲର ତଥ୍ୟ ଅନୁଯାୟୀ ବର୍ତ୍ତମାନ ମୁଖଗହ୍ୱର କ୍ୟାନସରର ପରିମାଣ ବଢିବାରେ ଲାଗିଛି।
ଗତ ୨୦୨୩ ଜୁଲାଇ ମାସରେ ପ୍ରକାଶିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ‘ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗାମ’ରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୩ରେ ୪୩ ହଜାର ୨୧୦ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ଏହାର ସଂଖ୍ୟା ୫୨ ହଜାର ୯୬୦ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ଏହାର ହାର ବୃଦ୍ଧି ପାଇ ଚଳିତବର୍ଷ ଶେଷ ଆଡକୁ କର୍କଟ ରୋଗୀଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି।
ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା। ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ୍ତ ରହିବାରେ ସାହାଯ୍ୟ କରିବା ଏହି ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତମାଖୁ ବର୍ଜନ ସମ୍ପର୍କରେ ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍ ଜାରି ହେବାକୁ ଯାଉଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏହି ଅଭିଯାନରେ ସାମିଲ କରାଯିବ।