ଗୋଟିଏ ରାତିରେ ଦୁଇଟି ଅଭାବନୀୟ କାଣ୍ଡ। ବନ୍ଧବାହାଲରେ ଗୁଳିମାଡ଼ ହୋଇଥିବା ବେଳେ ବେଲପାହାଡ଼ରେ ଛୁରାମାଡ଼ ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ପୋଲିସ ଏହି ସମସ୍ତ ଘଟଣାରେ କିଛି ଦୁର୍ବୁତ୍ତଙ୍କୁ ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।
ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ଠାରେ ବେଲପାହାଡ ବଜାରପଡାର ଜଗା ସାହୁଙ୍କୁ ଦୁର୍ବୁତ୍ତମାନେ ଛୁରାମାଡ କରି ଫେରାର ହୋଇଯାଇଥିଲେ। ବେଲପାହାଡ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଜଗା ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପାହାଡ଼ ସ୍ଥିତ ସ୍ଥାନୀୟ ଡାକ୍ତରଖାନାକୁ ଭର୍ତି କରିଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବେଲପାହାଡ଼ ପୋଲିସ କିଛି ସ୍ଥାନୀୟ ଯୁବକଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିପରି ସୋମବାର ରାତିରେ ଝାରସୁଗୁଡା ରାମ୍ପେଲା ବ୍ରିଜ ନିକଟରେ ଗୁଳିମାଡ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ଅଣ୍ଟାରେ ଗୁଳି ବାଜି ସେ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏମସିଏଲ ଡ଼ିସ୍ପେନସାରି ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁରର ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁଳିମାଡ଼ ଘଟଣାରେ ଦୁଇ ଜଣ ଯୁବକକୁ ପୋଲିସ ଗିରଫ କରିଛି। ଏହାସହିତ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ସହ ୧୮ ଟି ଜୀବନ୍ତ ଗୁଳି ଜବତ ହୋଇଥିବା ଝାରସୁଗୁଡ଼ା ଏସପି ସାମ୍ବାଦିକ ସମ୍ଭିଲନୀ ରେ ସୂଚନା ଦେଇଛନ୍ତି।