ଭୁବନେଶ୍ୱର: ମାର୍ଚ୍ଚ ମାସ ୨୯ ତାରିଖ ଅର୍ଥାତ ଆଜି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ। ଏହି ପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି। କେତେକ ସ୍ଥାନରେ ଏଥର ସର୍ବାଧିକ ସୂର୍ଯ୍ୟ ପରାଗ ୯୦ ପ୍ରତିଶତ ହେବ । ପରାଗ ଭାରତୀୟ ସମୟ ଦିନ ୨ଟା ୨୦ ମିନିଟ୍ ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ୍ ରେ ସର୍ବାଧିକ ସମୟ (୯୦%) ହେବ । ଭାରତୀୟ ସମୟ ଦିନ ୪ ଟା ୧୪ ମିନିଟ୍ ରେ ପରାଗ ଶେଷ ହେବ । ତେବେ ସଂଗଠିତ ହେବାକୁ ଥିବା ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଶ୍ରୀମନ୍ଦିର ନୀତିକାନ୍ତିରେ ବି କୌଣସି ପରିବର୍ତ୍ତନ ହେବନି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ଚଳିତବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକା ରେ ଦୃଶ୍ୟମାନ ହେବ । କିନ୍ତୁ ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।
ସୂର୍ଯ୍ୟ ପରାଗ ଅମାବାସ୍ୟା ତିଥିରେ ସଂଗଠିତ ହୋଇଥାଏ। ଏହି ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ ।