ଭୁବନେଶ୍ୱର: ଦୈନିକ ୪୦ ଡିଗ୍ରୀରୁ ଉର୍ଦ୍ଧ୍ୱ ତାପମାତ୍ରାରେ ଓଡ଼ିଶାବାସୀ ଯେମିତି କଲବଲ ହୋଇଗଲେଣି । ଏହି ଗରମରୁ ସାମାନ୍ୟ ପରିମାଣରେ ଆଶ୍ଵସ୍ତି ମିଳିବ । ଆଗାମୀ ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଘଡ଼ଘଡ଼ି ଏବଂ ବିଜୁଳି ମାରିବା ସହିତ ଝଟକା ପବନ ବହିପାରେ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ପାଣିପାଗ ନିର୍ଦ୍ଦେଶିକାଙ୍କ ସଦ୍ୟତମ ସୂଚନା ମୁତାବକ, ଆଗାମୀ ୫ରୁ ୭ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତା ଏପ୍ରିଲ ୧ ତାରିଖରୁ ୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଘଡ଼ଘଡ଼ି, ବିଜୁଳି ସହ ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଏପ୍ରିଲ ୧ ଅର୍ଥାତ୍ ଆସନ୍ତାକାଲି କେତେକ ଜିଲ୍ଲାରେ ବର୍ଷା ସହିତ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି । ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ସତର୍କ ସୂଚନା ଦିଆଯାଇଛି ।
ସେହିପରି ଏପ୍ରିଲ ୨ ତାରିଖରୁ ଧିରେ ଧିରେ ବର୍ଷାର ପରିମାଣ ଓ ପବନର ବେଗ ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆକଳନ କରାଯାଇଛି । ଏଥିପାଇଁ ଜିଲ୍ଲା ଯଥା ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର, ବୌଦ୍ଧ ଏବଂ ଅନୁଗୁଳ । ସେହିପରି ଏପ୍ରିଲ ୩, ୪, ୫ ଓ ୬ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ସହିତ ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଝଟକା ପବନ ୫୦ରୁ ୬୦ କିମି ପର୍ଯ୍ୟନ୍ତ ଝଟକା ପବନ ହେବାର ସମ୍ଭାବନା ଥିବା ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ୭ଟି ଷ୍ଟେସନରେ ୪୧ ଡିଗ୍ରୀ ଉପରେ ଓ ୯ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।