ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ କିଟ୍। ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ତାତି ଥମୁ ନ ଥିବା ବେଳେ ପୁଣି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପୋଲିସ୍ ର ପ୍ରାଥମିକ ସୂଚନା ଅନୁଯାୟୀ ମୃତଛାତ୍ର ଜଣକ କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଛାତ୍ର ଅଟନ୍ତି । ତାଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ, ଘର ପଶ୍ଚିମବଙ୍ଗ ବାଁକୁରା। ଅର୍ଣ୍ଣବ କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଗତ କାଲିଠାରୁ ସେ ହଷ୍ଟେଲରେ ନଥିଲେ ଆଉ ଆଜି ତାଙ୍କ ମୃତଦେହ ଉଦ୍ଧାର ପରେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ ପରିସ୍ଥିତିରେ ତାଙ୍କରୁ ମୃତ୍ୟୁ ଘଟିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମଞ୍ଚେଶ୍ବର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଥାଉକି ନିକଟରେ କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା ଓଡ଼ିଶା। ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ପରେ ରାଜନୀତି ସରଗରମ ହୋଇଥିଲା। ରାଜ୍ୟ ସରକାର ସରକାରଙ୍କ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି।