କଟକ: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ । ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ପ୍ରଥମ ଥର ପାଇଁ ଉତ୍କଳ ଦିବସର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉତ୍କଳ ଦିବସର ଗୌରବମୟ ଗାଥା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ । ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ । ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ(Integrated Development of Madhusudan Das’ Birth Place)’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୧ କୋଟି ଟଙ୍କା ବିନିଯୋଗରେ ବିକଶିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।
ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ । ଲକ୍ଷ୍ୟ ସଫଳ ହେବ ବୋଲି କହିଛନ୍ତି ଶ୍ରୀଯୁକ୍ତ ମାଝୀ ।
ସେହିପରି ମୁଖ୍ୟମନ୍ତ୍ରୀ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ସମୟରେ ପ୍ରତ୍ୟେକ ଓଡ଼ିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି ୯୦ତମ ବର୍ଷ ଆରମ୍ଭ ହୋଇଛି। ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭିତରୁ ଏକ ସ୍ଵତନ୍ତ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ କରିବା ଥିଲା ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ। କିନ୍ତୁ, ଦୁର୍ଭାଗ୍ୟବଶତଃ, ସ୍ଵାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ । କିନ୍ତୁ, ଓଡ଼ିଆ ଜାତି ଭାବରେ ଆମର ସ୍ୱପ୍ନ ଅସୀମ, ଅସୁମାର। ଆମର ଲକ୍ଷ୍ୟ ଖୁବ୍ ବିଶାଳ। ସେହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମର ଓଡ଼ିଆ ଭାଇ ଭଉଣୀମାନେ ରାଜ୍ୟରେ ଆଣିଛନ୍ତି ପରିବର୍ତ୍ତନ। ଆପଣମାନଙ୍କ ପରିବର୍ତ୍ତନର ସ୍ୱପ୍ନ ଓ ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କ ନୂଆ ସରକାର ଦୃଢ଼ ସଂକଳ୍ପ ଓ ଉତ୍ସାହର ସହ ଉଦ୍ୟମ ଆରମ୍ଭ କରିଛନ୍ତି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି ।
କାର୍ଯ୍ୟକ୍ରମରେ ଆଇନ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପ୍ରକାଶ ଚନ୍ଦ୍ର ସେଠୀ, ଛବି ମଲ୍ଲିକ, ସାରଦା ପ୍ରଧାନ, ବିଜୟ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ।