ଭୁବନେଶ୍ୱର: ଜମି ପାଇଁ ଗୁଣ୍ଡା ଲଗାଇ ସାନ ଭାଇକୁ ହତ୍ୟା ଉଦ୍ୟମ । ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଥିବା ବନଦୁର୍ଗା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅନ୍ୟପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ପହଁଥିବା ପୋଲିସକୁ କରାଯାଇଛି ଆକ୍ରମଣ ।
ଭରତପୁର ଅଞ୍ଚଳରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନରୁ ଉଭୟ ବଡ଼ଭାଇ ଓ ଅନ୍ୟ ଭାଇମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ରବିବାର ଭରତପୁର ଥାନାରେ ଏନେଇ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ବି ହୋଇଥିଲା, ହେଲେ ବିଳମ୍ବିତ ରାତିରେ ଏହା ଉଗ୍ର ରୂପ ନେଇଥିଲା । ସାନଭାଇକୁ ରାସ୍ତାରୁ ହଟାଇବାକୁ ବଡ଼ ଭାଇ ଯୋଜନା କରିଥିଲେ । ରାତି ପ୍ରାୟ ଦଶଟା ସମୟରେ କିଛି ଗୁଣ୍ଡା ଲଗାଇ ସାନ ଭାଇକୁ ହତ୍ୟା ଉଦ୍ୟମ କରିଥିଲେ । ଯାହାଫଳରେ କିଛି ଗୁଣ୍ଡା ସାନଭାଇକୁ ଆକ୍ରମଣ କରିଥିଲେ । ଏପରିକି ଆକ୍ରମଣ ବେଳେ ପ୍ରତିବାଦ କରୁଥିବା କେତେକ ସ୍ଥାନୀୟ ଲୋକେ ବି ଆହତ ହୋଇଛନ୍ତି ।
ଅନ୍ୟପକ୍ଷରେ ଏ ନେଇ ଭରତପୁର ଥାନାକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତକୁ ନେବାବେଳେ ସ୍ଥାନୀୟ ଲୋକେ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ । ଏପରିକି ସ୍ଥାନୀୟ ଲୋକ ପୋଲିସ ପିସିଆର୍ ଭ୍ୟାନ୍ କୁ ମଧ୍ୟ ଭଙ୍ଗାରୁଜ୍ଜା କରିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତଜିତ ଲୋକ ପୋଲିସ ଗାଡ଼ିକୁ ଭାଙ୍ଗିରୁଜି ଚୁରମାର କରିଦେଇଥିଲେ । ତେବେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୧ ପ୍ଲାଟୁନ୍ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।