ନୂଆଦିଲ୍ଲୀ: ଅନ୍ୟର ଭବିଷ୍ୟତ ଗଣନା କରୁଥିବା ବାବା ଦେଖି ପାରିଲେନି ନିଜ ଭବିଷ୍ୟତ । ଏକ ଦୁଷ୍କର୍ମ ମମାଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି । ତେବେ ଶୁଣାଣୀ ପୂର୍ବରୁ କୋର୍ଟ ପରିସରରେ କାନ୍ଦି କାନ୍ଦି ଜର୍ଜଙ୍କ ପାଖେ କ୍ଷମାପ୍ରାର୍ଥନା କରୁଥାନ୍ତି । ‘ଘରେ ମୋର ଛୋଟ ଛୁଆ ରହିଛି, ପତ୍ନୀଙ୍କୁ ବେମାର, ମୋ ଗୋଡ଼ରେ ବି ରଡ଼ ଲାଗିଛି, ମୋ ଉପରେ ଦୟା କରନ୍ତୁ, ମୋତେ କ୍ଷମା କରି ଦିଅନ୍ତୁ’ ଏମିତି କହି କାନ୍ଦି କାନ୍ଦି ଜର୍ଜଙ୍କ ପାଖେ ହାତଯୋଡ଼ି ନେହୁରା ହେଉଥିଲେ ଦୁଷ୍କର୍ମ ଅଭିଯୁକ୍ତ ପାଦ୍ରୀ ବଜିନ୍ଦର ସିଂହ । ହେଲେ ତାଙ୍କର ଏହି କାନ୍ଦ ଜର୍ଜଙ୍କୁ ପ୍ରଭାବିତ କରିନଥିଲା । ମୃତ୍ୟୁ ଯାଏଁ ତାଙ୍କୁ ଜେଲରେ ରହିବାକୁ ରାୟ ମିଳିଛି । ତେବେ ଜର୍ଜଙ୍କ ରାୟ ପରେ ପୋଲିସ ତାଙ୍କୁ ପୁଣି ଥରେ ଜେଲକୁ ନେଇଯାଇଛି ।
ନଜର ପକାନ୍ତୁ କ’ଣ ରହିଥିଲା ପୂରା ଘଟଣା?
୨୦୧୮ ଫେବୃଆରୀ ୨୮ରେ ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ । ହେଲେ ବାବା ଏହାକୁ ସିଧା ସିଧା ଖଣ୍ଡନ କରିଦେଲେ । ମହିଳା ଅଭିଯୋଗ କରିଥିଲେ ଯେ, ବଜିନ୍ଦର ତାଙ୍କୁ ବିଦେଶ ପଠାଇବାର ଲୋଭ ଦେଖାଇ ମୋହାଲି ସେକ୍ଟର ୬୩ରେ ଥିବା ତାଙ୍କ ବାସଭବନକୁ ଡକାଇଥିଲେ । ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ଏହାର ଭିଡିଓ ରେକର୍ଡ କରି କାହାକୁ କିଛି କହିଲେ ସୋସିଆଲ ମିଡିଆରେ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ଡରରେ କିଛି ଦିନି ମହିଳା ଜଣଙ୍କ ଚୁପ ରହିଥିଲେ । ଏହାପରେ ସାହସ କରି ୨୦୧୮ ଏପ୍ରିଲରେ ଜିରକପୁର ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ଖୋଳତାଡ ଆରମ୍ଭ କରିଥିଲା ମୋହାଲି ପୋଲିସ୍ । ଆଉ ଗୋଟିଏ ପରେ ଗୋଟିଏ ବାବାଙ୍କ କାର୍ଣ୍ଣାମା ଧରାପଡିଥିଲା । ପୋଲିସ ବଜିନ୍ଦରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୩୭୬ (ଦୁଷ୍କର୍ମ), ୩୨୩ (ଜାଣତରେ ଆଘାତ ଦେବା) ଓ ୫୦୬ (ଅପରାଧିକ ଧମକ) ଆଧାରରେ ମାମଲା ରୁଜୁ କରିଥିଲା ।
ସୂଚନାଯୋଗ୍ୟ, ବଜିନ୍ଦର ସିଂ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ଏକ ସେମିନାରରେ ଯୋଗଦେବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରକୃତରେ, ପାଦ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ମହିଳାଙ୍କୁ ମାରୁଥିବାର ଦେଖାଯାଇଥିଲା। ଏହି ଭିଡିଓଟି ୧୪ ଫେବୃଆରୀର ବୋଲି କୁହାଯାଉଥିଲା ଏବଂ ଏହା ୧୬ ମାର୍ଚ୍ଚରେ ଭାଇରାଲ ହୋଇଥିଲା। ଭିଡିଓରେ ପାଦ୍ରୀ ବଜିନ୍ଦର ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଥିଲା। ଏହି ଭିଡିଓରେ, ଜଣେ ପିଲା ସହିତ ବସିଥିବା ମହିଳାଙ୍କ ମୁହଁକୁ ସେ ଏକ କପି ଫିଙ୍ଗିଥିଲେ।
ଅଧିକ ପଢନ୍ତୁ: ଦୁଷ୍କର୍ମ ମାମଲାରେ ପାଦରି ବଜିନ୍ଦର ସିଂଙ୍କୁ ଆଜୀବନ କାରାଦଣ୍ଡ