ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ସ୍ୱଘୋଷିତ ପାଦରି ବଜିନ୍ଦର ସିଂଙ୍କୁ ମୋହାଲିର ଏକ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ବିକ୍ରାନ୍ତ କୁମାରଙ୍କ ଅଦାଲତ ତାଙ୍କୁ ଆଜୀବନ କାରାବାସ ସଜା ଶୁଣାଇଛନ୍ତି । ବଜିନ୍ଦର ସିଂ ନିଜର ସଭାରେ ଚମତ୍କାର କରୁଥିବା ଦାବି କରିଥାନ୍ତି । ଅନେକ ଥର ତାଙ୍କ ସଭାରେ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥାନ୍ତି । ହେଲେ ଗତ କିଛି ବର୍ଷରୁ ସେ ସର୍ବଦା ବିବାଦରେ ଥିଲେ । ତାଙ୍କ ଉପରେ ଦୁଷ୍କର୍ମ ମାମଲା ମଧ୍ୟ ଚାଲିଥିଲା ।
ବଜିନ୍ଦର ସିଂଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(ବଳାତ୍କାର), ୩୨୩(ଜାଣିଶୁଣି ଆଘାତ ଦେବା) ଓ ୫୦୬(ଅପରାଧିକ ଧମକ) ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ପରେ ୪୨ ବର୍ଷୀୟ ଏହି ପାଦରିଙ୍କୁ ପଟିୟାଲା ଜେଲ୍ ଅଣା ଯାଇଛି । ଏହା ପୂର୍ବରୁ ମାମଲାରେ ସଂପୃକ୍ତ ଅନ୍ୟ ୫ ଅଭିଯୁକ୍ତ ଅକବର ଭଟ୍ଟି, ରାଜେଶ ଚୌଧୁରୀ, ଜତିନ୍ଦର କୁମାର, ସିତାର ଅଲ୍ଲୀ ଓ ସନ୍ଦୀପ ପହଲବାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ଟ୍ରାଏଲ ସମୟରେ ଆଉ ଜଣେ ଅଭିଯୁକ୍ତ ସୁଚ୍ଚା ସିଂଙ୍କ ମୃତ୍ୟୁ ଘଟି ସାରିଥିଲା ।
୨୦୧୮ରେ ଜିରକପୁର ପୋଲିସ ଥାନାରେ ଜଣେ ମହିଳାଙ୍କ ଦ୍ୱାରା ରୁଜୁ କରାଯାଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକାରିଣୀ ମହିଳା ଅଭିଯୋଗ କରିଥିଲେ ଯେ, ବଜିନ୍ଦର ସିଂ ତାଙ୍କୁ ବିଦେଶ ନେଇଥିବା ପ୍ରତିଶ୍ରୁତି ଦେଇ ମୋହାଲି ସେକ୍ଟର ୬୩ ସ୍ଥିତ ନିଜ ବାସଭବନରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଆଉ ଏହାର ଭିଡିଓ ବି ପ୍ରସ୍ତୁତ କରିଥିଲା । ୨୦୧୮ରେ ବଜିନ୍ଦରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ଜାମିନ ମିଳିଥିଲା । ତେବେ ମାମଲା କୋର୍ଟରେ ଚାଲିଥିଲା ଏବଂ ଆଜି ବଜିନ୍ଦର ସିଂଙ୍କୁ ଆଜୀବନ ସଜା ମିଳିଛି ।