ଲଖନଉ: ମଙ୍ଗଳବାର ଆଇପିଏଲ ୨୦୨୫ର ୧୩ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଚମତ୍କାର ପ୍ରଦର୍ଶନ କରି ଲଖଉନ ସୁପର ଜାଏଣ୍ଟସକୁ ତାରି ମାଟିରେ ଶୋଚନୀୟ ଭାବେ ୮ ୱିକେଟରେ ହରାଇଛି । ଏହି ବିଜୟ ସହ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି । ଅନ୍ୟପଟେ ଋଷଭ ପନ୍ତଙ୍କ ଲଖନଉ ଷଷ୍ଠ ସ୍ଥାନକୁ ଖସି ଆସିଛି । ପଞ୍ଜାବ ବିଜୟରେ ହିରୋ ସାଜିଛନ୍ତି ୱିକେଟ୍ କିପର ବ୍ୟାଟର ପ୍ରଭସିମରନ ସିଂ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି ପଞ୍ଜାବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲଖନଉ ସୁପର ଜାଏଣ୍ଟସ । ହେଲେ ପଞ୍ଜାବ ବୋଲରଙ୍କ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ପାରି ନ ଥିଲା । ତେଣୁ ଦଳ ବିଶାଳ ସ୍କୋର କରି ପାରି ନ ଥିଲା । ଓପନ ଆଡନ ମାରକ୍ରମ ୨୮ ରନ କରିଥିବା ବେଳେ ମଧ୍ୟକ୍ରମରେ ନିକୋଲାସ ପୁରନ ୪୪ ରନ ଓ ଆୟୁଷ ବଦୋନି ୪୧ ରନ କରିଥିଲେ । ଡେଭିଡ ମିଲର ୧୯ ରନ କରିଥିବା ବେଳେ ଅବଦୁଲ ସାମଦ ଦ୍ରୁତ ୨୭ ରନ କରିବାରୁ ଲଖନଉ ୭ ି ୱିକେଟ୍ ହରାଇ ୧୭୧ ରନ କରି ପାରିଥିଲା ।
ଜବାବରେ ପଞ୍ଜାବ କିଙ୍ଗସ ମ୍ୟାଚକୁ ଅତି ସହଜରେ ଜିତି ନେଇଛି । ପ୍ରିୟଂଶ ଆର୍ଯ୍ୟ ୮ ରନ କରି ଆଉଟ୍ ହୋଇଥିଲେ ହେଁ, ପ୍ରଭସିମରନ ସିଂ ଧୂଆଁଧାର ବ୍ୟାଟିଂ କରି ଦଳ ବିଜୟ ସୁନିଶ୍ଚିତ କରିଥିଲେ । ସେ ୩୪ ବଲରୁ ୯ ଚୌକା ଓ ୩ ଛକା ସହ ୬୯ ରନ କରିଥିଲେ । ତାଙ୍କ ପରେ ଅଧିନାୟକ ଶ୍ରେୟସ ଆୟର ଆଉ ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ୩୦ ବଲରୁ ୩ ଚୌକା ଓ ୪ ଛକା ଜରିଆରେ ୫୨ ରନ କରି ଅପରାଜିତ ଥିଲେ । ନେହଲ ି ୱେଧରା ୪୩ ରନର ବିସ୍ଫୋରକ ଇନିଂସ ଖେଳି କ୍ରିଜରେ ଥିଲେ । ପଞ୍ଜାବ ୧୬.୨ ଓଭରରେ ମାତ୍ର ୨ ି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।