ମୁୁମ୍ବାଇ: ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟର ସ୍ୱାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜି ଘରୋଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୧୨ତମ ମ୍ୟାଚରେ ମୁମ୍ବାଇ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ହରାଇ ଏକତରଫା ବିଜୟ ହାସଲ କରିଛି । ଦଳ ବିଜୟରେ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଅଶ୍ୱିନ କୁମାର ୪ ୱିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ରିୟାଲ ରିକଲଟନ ୬୨ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ତୃତୀୟ ମ୍ୟାଚରୁ ମୁମ୍ବାଇ ପ୍ରଥମ ବିଜୟ ହାସଲ କରିଥିବା ବେଳେ ସମାନ ମ୍ୟାଚରୁ କେକେଆର ଦ୍ୱିତୀୟ ପରାଜୟ ଭୋଗିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମୁମ୍ବାଇ ଦ୍ରୁତ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ କୋଲକାତା ବ୍ୟାଟର । ଅଙ୍ଗକ୍ରିଷ ରଘୁବଂଶୀ ଦଳ ପକ୍ଷରୁ ସର୍ବାଧିକ ୨୬ ରନ କରିଥିଲେ । ରମଣଦୀପ ସିଂ ଦ୍ୱିତୟ ସର୍ବାଧିକ ୨୨ ରନ କରିଥିଲେ । ମୁମ୍ବାଇର ନବାଗତ ବୋଲର ଅଶ୍ୱନୀ କୁମାର ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ବଲରେ ପ୍ରଥମ ୱିକେଟ୍ ନେଇଥିଲେ । ସେ ୪ଟି ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ଫଳରେ ୧୬.୨ ଓଭରରେ କୋଲକାତା ୧୧୬ ରନରେ ଅଲଆଉଟ୍ ହୋଇଥିଲା । ରିଙ୍କୁ ସିଂ ୧୭ ରନ ଓ ମନୀଷ ପାଣ୍ଡେ ୧୯ ରନ କରିଥିଲେ ହେଁ ଦଳ ପାଇଁ ଯଥେଷ୍ଟ ନ ଥିଲା ।
ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ ୪୬ ରନ ଯୋଡି ଦଳ ବିଜୟ ସୁନିଶ୍ଚିତ କରିଥିଲେ । ରୋହିତ ୧୩ ରନ କରି ପୁଣି ଥରେ ବିଫଳ ହୋଇଥିଲେ । ୱିଲ ଜ୍ୟାକ୍ସ ୧୬ ରନ କରିଥିଲେ । ରିକଲଟନ ଆଜି ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ୪୧ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନରେ ଅପରାଜିତ ରହି ଦଳ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବ ମାତ୍ର ୯ ବଲରୁ ୨୭ ରନର ବିଧ୍ୱଂସୀ ଇନିଂସ ଖେଳି ଅପରାଜିତ ଥିଲେ । ମୁମ୍ବାଇ ୧୨.୫ ଓଭରରେ ମାତ୍ର ୨ ବ୍ୟାଟରଙ୍କୁ ହରାଇ ୧୨୧ ରନ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।