ଗୌହାଟୀ: ଏଠାରେ ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୧୧ତମ ରୋମାଞ୍ଚକର ମ୍ୟାରେ ବାଜି ମାରି ନେଇଛି ରାଜସ୍ଥାନ ରୟାଲ୍ସ । ନୀତିଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଦମଦାର ବୋଲିଂ ବଳରେ ରାଜସ୍ଥାନ ୬ ରନରେ ଚେନ୍ନାକୁ ହରାଇଛି । ଏଥିସହ ରାଜସ୍ଥାନ ଚଳିତ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି । ଚେନ୍ନାଇ ନିଜର ତୃତୀୟ ମ୍ୟାଚରେ ଦ୍ୱିତୀୟ ପରାଜୟ ଭୋଗିଛି । ବିଜୟ ପରେ ରାଜସ୍ଥାନ ପଏଣ୍ଟ ଟେବୁଲରେ ନବମକ ଉଠିଥିବା ବେଳେ ପରାଜୟ ସତ୍ୱେ ଚେନ୍ନାଇ ସପ୍ତମରେ ରହିଛି । ରାଜସ୍ଥାନ ବିଜୟରେ ନୀତିଶ ରାଣା ଓ ୱାନିନ୍ଦୁ ହସରଙ୍ଗା ହିରୋ ସାଜିଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ କରିଥିଲା । ଦଳ ପକ୍ଷରୁ ନୀତିଶ ରାଣା ମାତ୍ର ୩୬ ବଲରୁ ୮୧ ରନର ଦମଦାର ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିରେ ୧୦ ଚୌକା ଓ ୫ ଛକା ସାମିଲ ଥିଲା । ତାଙ୍କ ବ୍ୟତୀତ ଅଧିନାୟକ ରିୟାନ ପରାଗ ୩୭ ରନ କରିଥିଲେ । ସଞ୍ଜୁ ସାମସନ ୨୦ ରନ ଓ ସିମରନ ହେଟମାୟର ୧୯ ରନ କରି ପାରିଥିଲେ । ବୋଲିଂରେ ଚେନ୍ନାଇ ପକ୍ଷରୁ ମଥିଶା ପଥିରାନା, ନୂର ଅହମ୍ମଦ ଓ ଖଲିଲ ଅହମ୍ମଦ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।
ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୬ ୱିକେଟ୍ ହରାଇ ୧୭୬ ରନ କରି ପାରିଥିଲା । ଅଧିନାୟକ ଋତୁରାଜ ଗାଏକ୍ୱାଡ ଏକାକୀ ରାଜସ୍ଥାନ ବୋଲରଙ୍କ ମୁକାବିଲା କରି ୪୪ ବଲରୁ ୬୩ ରନର ଇନିଂସ ଖେଳିଥିଲେ । ରବୀନ୍ଦ୍ର ଜାଡେଜା ୩୨ ରନରେ ଅପରାଜିତ ଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରି ପାରି ନ ଥିଲେ । ଏମ ଏସ ଧୋନୀ ୧୬ ରନ କରି ଦଳକୁ ନିରାଶ କରିଥିଲେ । ରାହୁଲ ତ୍ରିପାଠୀ ୨୩ ରନ ଓ ଶିବମ ଦୁବେ ୧୮ ରନ କରିଥିଲେ । ବୋଲିଂରେ ରାଜସ୍ଥାନ ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୪ ସଫଳତା ହାସଲ କରିଥିଲେ ।