ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ୍ ଖେଳି ପାରି ନ ଥିଲେ । କାରଣ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଥିଲା । ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ସ୍ଲୋ ଓଭର ରେଟ୍ ବୋଲିଂ କରିଥିଲା । ଏଥିପାଇଁ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଥିଲା । ଆଇପିଏଲ ୧୮ତମ ସିଜିନର ଦ୍ୱିତୀୟ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ । ଏହି ମ୍ୟାଚରେ ବି ହାର୍ଦ୍ଦିକ ସେହି ଭୁଲ୍ ଦୋହରାଇଛନ୍ତି । ଏଥିପାଇଁ ଅମ୍ପାୟର ତାଙ୍କୁ ମଝି ମ୍ୟାଚରେ ସଜା ଦେଇଛନ୍ତି । ପରେ ବିସିସିଆଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲକ୍ଷାଧିକ ଜରିମାନା ଲଗାଇଛି ।
ମାର୍ଚ୍ଚ ୨୯ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ସମୟରେ ଓଭର ସାରି ପାରି ନ ଥିଲା । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଦଣ୍ଡ ସ୍ୱରୂପ ଶେଷ ଓଭରରେ କେବଳ ୪ ଖେଳାଳିଙ୍କୁ ଥାର୍ଟି ସର୍କିଲ ବାହାରେ ରହିବାକୁ ପଡିଥିଲା । ଆଉ ଏହାର କ୍ଷତି ମୁମ୍ବାଇ ଇଣ୍ଡିଆନ୍ସକୁ ଭୋଗିବାକୁ ପଡିଥିଲା । ମ୍ୟାଚ୍ ପରେ ବିସିସିଆଇ ସ୍ଲୋ ଓଭର ରେଟ୍ ପାଇଁ ହାର୍ଦ୍ଦିକଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।
ଆଇପିଏଲ୍ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ପ୍ରେସ ବିବୃତି ମଧ୍ୟ ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଆଇପିଏଲର ଆଚାର ସଂହିତାର ଅନୁଚ୍ଛେଦ ୨.୨ ଆଧାରରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗା ଯାଇଛି । ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରି ପାରି ନ ଥିଲେ ।
ସୂଚନାଯୋଗ୍ୟ, ଚଳିତ ଥର ଆଇପିଏଲରେ ସ୍ଲୋ ଓଭର ରେଟର ତିନି ଅପରାଧ ପରେ ବି କୌଣସି ଖେଳାଳିଙ୍କୁ ମ୍ୟାଚରୁ ବ୍ୟାନ କରାଯିବ ନାହିଁ । ଏହାରି ବଦଳରେ ଖେଳାଳିଙ୍କ ବିରୋଧରେ ଡିମେରିଟ୍ ଅଙ୍କ ଯୋଡା ଯିବ । ଆଉ ସେହି ହିସାବରେ ଜରିମାନା ରାଶି ଲାଗିବ ।