ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ତେଣୁ ସିଜିନରେ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିବେ ଦୁଇ ଦଳ । ତେବେ ସବୁଠୁ ଅଧିକ ଚର୍ଚ୍ଚା ବିଷୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଜାରି ରହିଛି । ହାର୍ଦ୍ଦିକ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଖେଳି ପାରି ନ ଥିଲେ । କାରଣ ଗତ ସିଜିନରେ ସ୍ଲୋ ଓଭର ରେଟ୍ କାରଣରୁ ତାଙ୍କ ଉପରେ ଗୋଟିଏ ମ୍ୟାଚ୍ ବ୍ୟାନ ଲଗାଯାଇଥିଲା । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା ସାଧାରଣତଃ ପଞ୍ଚମରୁ ସପ୍ତମ କ୍ରମରେ ବ୍ୟାଟିଂ କରିଥାନ୍ତି । ସିଏସକେ ବିପକ୍ଷ ପ୍ରଥମ ମ୍ୟାଚରେ ମୁମ୍ବାଇର ଚୂଡାନ୍ତ ଏକାଦଶ ସୁବ୍ୟବସ୍ଥିତ ଲାଗୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିବାରୁ ରବିନ ମିଞ୍ଜଙ୍କୁ ବେଞ୍ଚରେ ବସିବାକୁ ପଡିପାରେ । ମିଞ୍ଜ ଜଣେ ୱିକେଟ୍ କିପର ବ୍ୟାଟର । ମାତ୍ର ମୁମ୍ବାଇ ଦଳରେ ପୂର୍ବରୁ ହିଁ ରିୟାନ ରିକେଲଟନ ଭାବେ ୱିକେଟ୍ କିପର ଅଛନ୍ତି ।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଶୋଚନୀୟ ପ୍ରଦର୍ଶନ କରିଥିଲା । ଗତ ସିଜିନରେ ଦଳ ଶେଷ ଦୁଇଟି ମ୍ୟାଚ୍ ମଧ୍ୟ ପରାଜିତ ହୋଇଥିଲା । ଆଉ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ଦଳ ସିଏସକେଠୁ ହାରି ସାରିଛି । ଏବେ ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତି ଦଳ ଲଗାତାର ଚତୁର୍ଥ ପରାଜୟ ଟାଳିବାକୁ ଉଦ୍ୟମ କରିବ ।
ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବିତ ଏକାଦଶ
ରୋହିତ ଶର୍ମା, ରିୟାନ ରିକେଲଟନ, ୱିଲ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ମିଚେଲ୍ ସାଣ୍ଟରନ, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ସତ୍ୟନାରାୟଣ ରାଜୁ, ଭିଗ୍ନେଶ ପୁଥୁର ।