ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଛି ମିଆଁମାର । ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ଧ୍ବଂସାବଶେଷ ତଳୁ ଏବେବି ବାହାରୁଛି ମୃତଦେହ । ପ୍ରକୃତିର କୋପ ଆଗରେ ମଣିଷ ଯେ କେତେ ଅସହାୟ, ଆଜି ତାହା ବୁଝି ପାରିଛନ୍ତି ବିଶ୍ବବାସୀ । ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ।
ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପାଇଁ ଏକ ସପ୍ତାହ ପାଇଁ ଜାତୀୟ ଶୋକ ଘୋଷଣା କରିଛି। ଏପ୍ରିଲ ୬ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
ମାର୍ଚ୍ଚ ୨୮ରେ ହୋଇଥିବା ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ କେବଳ ମିଆଁମାରରେ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ପଡ଼ୋଶୀ ଥାଇଲାଣ୍ଡରେ ମଧ୍ୟ ବ୍ୟାପକ କ୍ଷତି କରିଥିଲା। ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେରେ ଏତେ ଲୋକ ମୃତ୍ୟୁବରଣ କରିଛନ୍ତି ଯେ ସେଠାକାର ପବନ ଦୁର୍ଗନ୍ଧମୟ ହୋଇଗଲାଣି। ସହରର ରାସ୍ତାରେ ଶରୀରର କିଛି ଅଂଶ ବିଛାଡ଼ି ପଡ଼ିଛି। ଲୋକମାନେ ନିଜ ପ୍ରିୟଜନଙ୍କୁ ଖୋଜିବା ପାଇଁ ହାତରେ ଅଳିଆ ହଟାଇ ଦେଉଛନ୍ତି। ଏହି ଭଗ୍ନାବଶେଷ ତଳେ କେତେ ଲୋକ ଚାପି ହୋଇ ରହିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି, ପୋଲଗୁଡ଼ିକ ଭାଙ୍ଗି ଯାଇଛି। ଯୋଗାଯୋଗର ମାଧ୍ୟମଗୁଡ଼ିକ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ରିଲିଫ କାର୍ଯ୍ୟ ପ୍ରଭାବିତ ହେଉଛି। ମିଆଁମାରରେ ୩୫ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି। କେବଳ ମାଣ୍ଡାଲେରେ, ୧୫ଲକ୍ଷରୁ ଅଧିକ ଲୋକ ରିଲିଫ ଶିବିରରେ ରାତି ବିତାଉଛନ୍ତି। କ୍ୟାଥୋଲିକ ରିଲିଫ ସର୍ଭିସେସର ପରିଚାଳିକା ୟାଙ୍ଗନ କାଇରା ବ୍ରେକ କହିଛନ୍ତି ଯେ ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ସହାୟତା ପହଞ୍ଚି ପାରିନାହିଁ।
ଅଧିକ ପଢନ୍ତୁ: ମିଆଁମାର ପାଇଁ ଅପରେସନ ବ୍ରହ୍ମା ଜରିଆରେ ଭାରତ ସାଜିଲା ସଙ୍କଟମୋଚନ, ପଠାଇଲା ୧୫ଟନ୍ ରିଲିଫ୍ ସାମଗ୍ରୀ