ନୂଆଦିଲ୍ଲୀ: ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ରମଜାନର ପବିତ୍ର ମାସରେ ଶୁକ୍ରବାର ଭୟାନକ ବିପର୍ଯ୍ୟୟ ଆଣିଛି । ସ୍ପ୍ରିଙ୍ଗ ରିଭୋଲ୍ୟୁସନ ମିଆଁମାର ମୁସଲିମ ନେଟୱର୍କ ଅନୁସାରେ, ଏହି ବିଭୀଷିକାରେ ନମାଜ ପଢୁଥିବା ବେଳେ ୭୦୦ରୁ ଅଧିକ ଲୋକଙ୍କ ମସଜିଦ ଭିତରେ ଦବିକି ମୃତ୍ୟୁ ଘଟିଛି । ମିଆଁମାରର ମାଣ୍ଡଲେରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ହଜାର ହଜାର ଲୋକଙ୍କୁ ଚିରନିଦ୍ରାରେ ଶୁଆଇଛି । ସରକାରୀ ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଭୂକମ୍ପରେ ୬୦ ମସଜିଦ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ।
ସ୍ପ୍ରିଙ୍ଗ ରିଭୋଲ୍ୟୁସନ ମିଆଁମାର ମୁସଲିମ ନେଟୱର୍କ ମୁତାବକ, ଶୁକ୍ରବାର ନମାଜ ପଢିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ସମୟରେ ମସଜିଦରେ ପ୍ରବଳ ଗହଳି ଥିଲା । ଭୂକମ୍ପର ତୀବ୍ରତା ଏତେ ଜୋରଦାର ଥିଲା ଯେ, ଶତାଧିକ ଲୋକ ଦବି ଯାଇଥିଲେ । ଅନେକ ମସଜିଦ ଭାଙ୍ଗି ମାଟିରେ ମିଶି ଯାଇଛି । ଅନେକ ଐତିହାସିକ କୋଠା ଭୂକମ୍ପ ଝଟକାକୁ ସହ୍ୟ କରି ପାରି ନାହାନ୍ତି ।
ସରକାରୀ ତଥ୍ୟ ଅନୁସାରେ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରୁ ମସଜିଦରେ ମୃତକଙ୍କ ସଂଖ୍ୟା ୭୦୦ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ପରେ ଉଦ୍ଧାରକାରୀ ଦଳ ଓ ରିଲିଫ ସଂଗଠନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟରେ ଜୁଟିଛନ୍ତି । ହେଲେ ମିଆଁମାରରେ ଜାରି ରାଜନୈତିକ ଅସ୍ଥିରତା କାରଣରୁ ରିଲିଫ କାର୍ଯ୍ୟରେ ଅନେକ ବାଧା ଉପୁଜିଛି ।
ମିଆଁମାର ଭୂକମ୍ପ ୨୦୨୫ର ସବୁଠୁ ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ । ୭୦୦ରୁ ଅଧିକ ନମାଜିଙ୍କ ମୃତ୍ୟୁ ଏହି ବିଭୀଷିକାକୁ ଆହୁରି ଯନ୍ତ୍ରଣାଦାୟକ କରି ଦେଇଛି । ପୀଡିତଙ୍କୁ ତୁରନ୍ତ ରିଲିଫ, ଉଦ୍ଧାର ଓ ମାନବୀୟ ସହାୟତାର ଅତି ଆବଶ୍ୟକତା ରହିଛି ।