ନୂଆଦିଲ୍ଲୀ: ବସ୍ତୁ ଓ ସେବା କର(ଜିଏସଟି) ସଂଗ୍ରହରେ କେନ୍ଦ୍ର ସରକାରଙ୍କ ପାଇଁ ଆସିଛି ସୁଖଦ ଖବର। ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୯.୯ ପ୍ରତିଶତ ବଢି ୧.୯୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଏସଟି ଘରୋଇ ଲେଣଦେଣରୁ ରାଜସ୍ବ ୮.୮ ପ୍ରତିଶତ ବୃଦ୍ଧି ପାଇ ୧.୪୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଆମଦାନୀ ବସ୍ତୁରୁ ରାଜସ୍ବ ୧୩.୫୬ ପ୍ରତିଶତ ବଢ଼ି ୪୬,୯୧୯ କୋଟି ଟଙ୍କା ଆଦାୟ ହୋଇଛି ।
ସରକାରୀ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ଜିଏସଟି(ସିଜିଏସଟି) ସଂଗ୍ରହ ୩୮ ହଜାର ୧୦୦ କୋଟି ଟଙ୍କା,. ରାଜ୍ୟ ଜିଏସଟି(ଏସଜିଏସଟି) ୪୯ ହଜାର ୯୦୦ କୋଟି, ଏକିକୃତ ଜିଏସଟି(ଆଇଜିଏସଟି) ୯୫ ହଜାର ୯୦୦ କୋଟି ରହିଛି। ଏହା ସହିତ ମୋଟ୍ ଜିଏସଟି ରାଜସ୍ଵ ସଂଗ୍ରହ ୧୨ ହଜାର ୩୦୦ କୋଟି ଟଙ୍କା ରହିଛି।ମାର୍ଚ୍ଚ ମାସରେ ନେଟ୍ ଜିଏସଟି ସଂଗ୍ରହ ୧.୭୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏହା ଗତ ବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ। ଆର୍ଥିକ ବର୍ଷ ୨୦୨୫ ପାଇଁ ଗ୍ରୋସ ଜିଏସଟି କଲେକ୍ସନ ୨୨.୦୮ ଲକ୍ଷ କୋଟି ଟଙ୍କା ରହିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବୃଆରୀ ମାସରେ ଘରୋଇ ବଜାରରେ ଟ୍ୟାକ୍ସ ସଂଗ୍ରହ ବଢିବା କାରଣରୁ ଜିଏସଟି ସଂଗ୍ରହ ୯.୧ ପ୍ରତିଶତ ବୃଦ୍ଧି ଘଟି ୧୮୩୬୪୬ କୋଟି ଟଙ୍କାରେ ପହଞ୍ଚିଥିଲା। ସେହିପରି ଜାନୁଆରୀ ମାସରେ ଜିଏସଟି ସଂଗ୍ରହ ୧.୯୬ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା। ସେହିପରି ଡିସେମ୍ବରରେ ଜିଏସଜଟି କଲେକ୍ସନ ୧.୭୭ ଲକ୍ଷ କୋଟି ରହିଥିଲା।