ନୂଆଦିଲ୍ଲୀ: ଆମେରିକୀୟ ସଫ୍ଟୱେର୍ କମ୍ପାନୀ ଓରାକେଲର ସହ-ପ୍ରତିଷ୍ଠାତା ଲାରି ଏଲିସନ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲାର ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇ ଲାରି ପ୍ରଥମ ଥର ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ସଫଳତା ହାସଲ କରିଛନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ୧୦:୧୦ ସୁଦ୍ଧା ନ୍ୟୁୟର୍କରେ ଓରାକେଲ୍ କର୍ପ ଆଶାଠାରୁ ଭଲ ତ୍ରୈମାସିକ ଫଳାଫଳ ଘୋଷଣା କରିବା ଏବଂ ଭବିଷ୍ୟତରେ ଆହୁରି ଅଧିକ ଅଭିବୃଦ୍ଧି ପାଇଁ ଆଶା ପ୍ରକାଶ କରିବା ପରେ ଲାରି ଏଲିସନଙ୍କ ସମ୍ପତ୍ତି ୧୦୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।
ଲାରି ଏଲିସନଙ୍କ ସମ୍ପତ୍ତିର ପରିମାଣ ୩୯୩ ବିଲିୟନ ଡଲାରରେ ପହଞ୍ଚିଛି।
ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଲାରି ଏଲିସନଙ୍କ ସମ୍ପତ୍ତିରେ ଏହି ଅଦ୍ଭୁତ ବୃଦ୍ଧି ଯୋଗୁଁ ତାଙ୍କର ମୋଟ ସମ୍ପତ୍ତି ୩୯୩ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପଟେ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୩୮୫ ବିଲିୟନ ଡଲାର। ଏପର୍ଯ୍ୟନ୍ତ ସୂଚକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୋଟିଏ ଦିନରେ ସବୁଠାରୁ ବଡ଼ ବୃଦ୍ଧି। ଉଲ୍ଲେଖନୀୟ ଏଲନ ମସ୍କ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। କିନ୍ତୁ ପରେ ତାଙ୍କୁ ଆମାଜନର ଜେଫ୍ ବେଜୋସ୍ ଏବଂ LVMHର ବର୍ଣ୍ଣାର୍ଡ ଆର୍ନାଲ୍ଟ ପଛରେ ପକାଇ ଦେଇଥିଲେ। ତଥାପି, ମସ୍କ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରି ଗତ ବର୍ଷ ପୁଣି ଥରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ଏବଂ ୩୦୦ ଦିନରୁ ଅଧିକ ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ଖ୍ୟାତି ଅର୍ଜନ କରିଥିଲେ।
ବୁଧବାର ଦିନ ଓରାକେଲର ସେୟାରରେ ୪୧% ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୃଦ୍ଧି ରେକର୍ଡ କରାଯାଇଛି।
୮୧ ବର୍ଷୀୟ ଲାରି ଏଲିସନ, ଯିଏ ଓରାକେଲର ସହ-ପ୍ରତିଷ୍ଠାତା ଥିଲେ ସେ ବର୍ତ୍ତମାନ କମ୍ପାନୀର ଅଧ୍ୟକ୍ଷ ଏବଂ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ପଦରେ ଅଛନ୍ତି। ମଙ୍ଗଳବାର ବନ୍ଦ ହେବା ପର୍ଯ୍ୟନ୍ତ କମ୍ପାନୀ ବୁକିଂରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା ଏବଂ ପରେ ଓରାକେଲର ସେୟାର ବୁଧବାର ଦିନ ୪୧% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହା କମ୍ପାନୀର ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସବୁଠାରୁ ବଡ଼ ବୃଦ୍ଧି।
ଏଲନ୍ ମସ୍କ ବିଶ୍ୱର ପ୍ରଥମ ଟ୍ରିଲିୟନିୟର ହୋଇପାରନ୍ତି
ଅନ୍ୟପକ୍ଷରେ, ଟେସଲାର ସେୟାର ଚଳିତ ବର୍ଷ ପ୍ରାୟ ୧୩% ହ୍ରାସ ପାଇଛି। କମ୍ପାନୀର ବୋର୍ଡ ମସ୍କଙ୍କ ପାଇଁ ୧ ଟ୍ରିଲିୟନ ଡଲାରର ଏକ ବିଶାଳ ସେଲେରୀ ପ୍ୟାକେଜ୍ ପ୍ରସ୍ତାବ ଦେଇଛି, ଯଦି ସେ ଅନେକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୁଅନ୍ତି, ତେବେ ସେ ବିଶ୍ୱର ପ୍ରଥମ ଟ୍ରିଲିୟନିୟର ହୋଇପାରିବେ।